ଭୂବନେଶ୍ୱର, ୧୫/୧୧ : ମହାରାଷ୍ଟ୍ର ତଡବା ଜଙ୍ଗଲରୁ ଶିମିଳିପାଳକୁ ଆସିଛି ଦ୍ୱିତୀୟ ବାଘୁଣୀ । ଶିମିଳିପାଳର ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଜିନ୍ନତକୁ ଛଡ଼ାଯାଇଛି। ବାଘୁଣୀର ନାଁ ‘ଜିନତ’ ବୋଲି କହିଛନ୍ତି ପିସିସିଏଫ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ ବର୍ଷ। ଆଜି ବାଘୁଣୀକୁ ସକାଳ ୯ଟାରେ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯାଇଛି।
ଏଥିସହ ଏକ ବିଶେଷଜ୍ଞ ଦଳ ତାର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି । ୧୭ ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିଲା। ଯମୁନା ଏବେ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଥିବା ଦେଖିବାକୁ ମିଳିଛି।ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ଜିନ୍ନତକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାୟପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳରେ ଗତକାଲି ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’ । ଆଜି ତାକୁ ଏନକ୍ଲୋଜରରେ ଛଡ଼ା ଯାଇଛି। ଗତ ୨୮ ତାରିଖରେ ଏକ ମାଇ ମହାବଳ ବାଘ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ୧୭ ଦିନ ବ୍ୟବଧାନ ପରେ ଏବେ ପୁଣି ଦ୍ଵିତୀୟ ବାଘୁଣୀକୁ ଅଣାଯାଇଛି ।



