ଭୂବନେଶ୍ୱର, ୦୪/୧୨ : ଦେବଗଡ ଜିଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ରିଆମାଳ ଥାନା ବାଲିଜୋରି ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ନକଲି ବିଦେଶୀ ମଦ ଚାଲାଣ ବେଳେ ଗିରଫ ହୋଇଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତଙ୍କ ଠାରୁ ଏକ ସ୍ବିଫ୍ଟ କାର ସହିତ ୧୦୫ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ହ୍ବିସ୍କି ନମ୍ବର ୱାନ, ରୋୟାଲ ଷ୍ଟାଗ, ରୋୟାଲ ଚ୍ୟାଲେଞ୍ଜର ହ୍ବିସ୍କି, ବ୍ଲାକ ଡାଇମଣ୍ଡ ହ୍ବିସ୍କି ଆଦି କମ୍ପାନୀର ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଏକ ସ୍ବିଫ୍ଟ କାରରେ ଚାଲାଣ କରୁଥିବା ବେଳେ ତେଲିମୁଣ୍ଡା ଛକରୁ ରିଆମାଳ ପୋଲିସ ଜବତ କରିଛି । ପୋଲିସକୁ ଚକମା ଦେଇ ଫେରାର ମାରୁଥିବା ବେଳେ ପୋଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଥିବା ଜଣାପଡିଛି। ବେଆଇନ ସ୍ପିରିଟ ବ୍ୟବହାର କରି ଅଭିଯୁକ୍ତ ମାନେ ବିଭିନ୍ନ କମ୍ପାନିର ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।



