ଭୂବନେଶ୍ୱର, ୦୨/୦୨ : କୋରାପୁଟ ବୈପାରିଗୁଡା ପୁଲିସ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫କୋଟିରୁ ଅଧିକ ହେବ । ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ କୁହାଯାଉଥିବା ଜି. ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଜଙ୍ଗଲ ଭିତରୁ ବୈପାରିଗୁଡା ପୁଲିସ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଜଙ୍ଗଲ ଦେଇ ଯାଉଥିବା ବେଳେ ଜଙ୍ଗଲ ଭିତରେ କିଛି ବସ୍ତା ଥାକ ମାରି ରଖାଯାଇଥିବା ଦେଖିବାକୁ ପାଇଥିଲେ।
ସନ୍ଦେହ ହେବାରୁ ବୈପାରିଗୁଡା ପୁଲିସକୁ ସୂଚନା ଦେଇଥିଲେ। ବୈପାରିଗୁଡା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଟିମ୍ ଟିକରପଡା ଜଙ୍ଗଲକୁ ଯାଇଥିଲେ। ବସ୍ତା ଗୁଡ଼ିକ ଖୋଲିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଛି। କେହି ଗଞ୍ଜେଇ ମାଫିଆ ଲୁଚେଇ ରଖିବା ସହ ଗାଡ଼ିକୁ ଅପେକ୍ଷା କରିଥିଲା। ସୁଯୋଗ ଦେଖି ଚାଲାଣ କରିବାର ଉଦ୍ଦେଶ୍ୟ ଥିଲା ବୋଲି ବୈପାରିଗୁଡା ଆଇଆଇସି ଦୀପାଞ୍ଜଳି ପ୍ରଧାନ କହିଛନ୍ତି। ଅତିଶୀଘ୍ର ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ।



