ଭୂବନେଶ୍ୱର୨୨/୩ : ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ ଆଇନଜୀବୀ ନୀତିନ କୁମାର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି, ଉଭୟ ପକ୍ଷ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି।
ଦୁହେଁ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ପହଞ୍ଚି ମାମଲାର ଶୁଣାଣିକୁ ଚୂଡ଼ାନ୍ତ ରୂପ ଦେଇଥିଲେ ଏବଂ କିଛି ଦିନ ହେବ ଚର୍ଚ୍ଚାରେ ଥିବା ଏହି କାହାଣୀର ଅନ୍ତ ଘଟାଇଥିଲେ। ଦମ୍ପତିଙ୍କ ଶୁଣାଣି ପାଇଁ ୬ ମାସର ଆଇନଗତ କୁଲିଂ ଅଫ୍ ଅବଧି ଛାଡ଼ କରିବାକୁ ମନା କରିବା ପାଇଁ ପରିବାର ଅଦାଲତ ଦେଇଥିବା ଆଦେଶକୁ ବୁଧବାର ବମ୍ବେ ହାଇକୋର୍ଟ ରଦ୍ଦ କରିବା ପରେ ଏହି ଘଟଣା ଘଟିଛି। ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚହଲଙ୍କ ଅଂଶଗ୍ରହଣ ଯୋଗୁଁ ଗୁରୁବାର ସୁଦ୍ଧା ଛାଡ଼ପତ୍ର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ।



