ଭୂବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏଥିସହ ସେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫ର ‘ଲୋଗୋ ଏବଂ ମାସ୍କଟ-ଆଶା’ କୁ ଲୋକାର୍ପଣ କରିଛନ୍ତି ।ସୂଚନାଥାଉକି, କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏକ ହାତୀ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ । ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା । ତାର ଏହି ସଂଘର୍ଷମୟ କାହାଣୀ ଉପରେ ‘ଆଶା’ ଆଧାରିତ । ଯିଏକି ବର୍ତ୍ତମାନ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି ।ଏହି ମାସକଟ୍ ‘ଆଶା’ ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ ।ଓଡ଼ିଶା ପୋଲିସ ଏହି ଚମ୍ପିଆନସିପ୍ କୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଖୁରାନିଆ ଖୁସି ବ୍ୟକ୍ତ କରିଥିଲେ । ଏଥି ନିମନ୍ତେ ସେ ସର୍ବଭାରତୀୟ ପୋଲିସ୍ କ୍ରୀଡା ନିୟନ୍ତ୍ରଣ ବୋର୍ଡ କୁ ଧନ୍ୟବାଦ ଜଣାଇଥିଲେ ।ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରିବେ । ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ସିଆଇଏସଏଫ୍, ସିଆରପିଏଫ୍, ବିଏସଏଫ୍, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ରାଜେଶ କୁମାର, ଆୟୋଜନ କମିଟିର ସମ୍ପାଦକ ତଥା ଆଇଜି(ତାଲିମ) ଅନୁପ କୁମାର ସାହୁ, ସମସ୍ତ ଟିମର ମ୍ୟାନେଜର ଏବଂ ଅଧିନାୟକ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।



