ସରଣ୍ଡା ଶଂଖୋଳିଆ ରାଇସ ମିଲ ପାଖରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ସହ ଲୁଟ

ବରଗଡ:୧୩/୫(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ଥାନା ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ଶଂଖୋଳିଆ ରାଇସ ମିଲ ପାଖରେ ଗତକାଲି ରାତି ୧୦ଟାରେ ୨ ଜଣକୁ ମରଣାନ୍ତକ ଆକ୍ରମଣ କରି କେତେକ ଦୁର୍ବୃତ୍ତ ଲୁଟ କରିଥିବା ଅତାବିରା ଥାନାରେ ଅଭିଯୋଗ ହୋଇଛି |ପ୍ରାପ୍ତ ସୂଚନା ଅନୁସାରେ, ଅତାବିରାରେ ଏକ କପଡ଼ା ଦୋକାନ ଦେଇଥିବା ଶୁଭମ ଗୁପ୍ତା ଓ ତାଙ୍କ ସହକାରୀ ରୋହିତ କୁମାର ସୋମବାର ରାତି ୧୦ଟାରେ ଦୋକାନ ବନ୍ଦ କରି ସରଣ୍ଡାର ଏକ ଢ଼ାବାକୁ ରାତ୍ରି ଭୋଜନ ପାଇଁ ଯାଉଥିବା ସମୟରେ ସେମାନେ ଜାତୀୟ ରାଜପଥ ଉପରେ ଲୁଟ ସହ ଆକ୍ରମଣର ଶିକାର ହୋଇଥିଲେ lଦଳବଦ୍ଧ ଭାବେ ଦୁର୍ବୃତ୍ତମାନେ ଆକ୍ରମଣ କରିବା ଫଳରେ ସେମାନଙ୍କ ଶରୀର ରକ୍ତରଞ୍ଜିତ ହୋଇଯାଇଥିଲା।ଦୁର୍ବୁତ୍ତମାନଙ୍କଠାରୁ ସେମାନେ କୌଣସି ପ୍ରକାରେ ମୁକୁଳି ଅତାବିରାରେ ଥିବା ସମ୍ପର୍କୀୟ କଳ୍ପେଶ ପଟେଲଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ lତୁରନ୍ତ କଳ୍ପେଶଙ୍କ ସହ ବିନୟ କୁମାର ଦାଶ, ଆଦର୍ଶ ପଣ୍ଡା ଏବଂ କେତେକ ସ୍ବେଚ୍ଛସେବୀ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଅତାବିରା ସରକାରୀ ଡାକ୍ତରଖାନାକୁ ଆଣିଥିଲେ ଏବଂ ଘଟଣା ବିଷୟରେ ଅତାବିରା ପୋଲିସକୁ ଫୋନ କରି ଜଣାଇଥିଲେ l ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ ଅତାବିରାରୁ ବରଗଡର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା l ସେଠାରୁ ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ବୁର୍ଲାରୁ ପୁଣି ଆଜି ମଙ୍ଗଳବାର ସକାଳ ୯ଟାରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି |




