ଭୂବନେଶ୍ୱର: ଓଡ଼ିଶାର ସୁଖ୍ୟାତ ଗବେଷିକା ଡ଼. ସୁରଭି ଜୈନ୍ ଙ୍କୁ ୨୦୨୪ ବର୍ଷ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (DST) ଦ୍ୱାରା ପ୍ରଦତ୍ତ ‘ଇନ୍ସପାୟାର୍ ଫେଲୋସିପ୍’ ପାଇଁ ଚୟନ କରାଯାଇଛି। ଏହି ଉଚ୍ଚ ପ୍ରତିଷ୍ଠିତ ଓ ତୀବ୍ର ପ୍ରତିସ୍ପର୍ଧାତ୍ମକ ଫେଲୋସିପ୍ ଗବେଷଣାରେ ଅପୂର୍ବ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ପାଇଁ ପଞ୍ଚବର୍ଷୀୟ ଅର୍ଥସାହାଯ୍ୟ ଯୋଗାଇଥାଏ।
ଦେଶସାରା ଚୟନ ହୋଇଥିବା ୩୬ ଜଣ ଇଞ୍ଜିନିୟରିଂ ଫେଲୋମାନଙ୍କ ମଧ୍ୟରୁ କେବଳ ୬ ଜଣ ସିଭିଲ ଇଞ୍ଜିନିୟରିଂରୁ ଅଛନ୍ତି, ଏବଂ ଡ଼. ଜୈନ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ ।ଡ଼. ସୁରଭି ଜୈନ୍ ଏନ.ଆଇ.ଟି. ରାଉରକେଲା ଓ ଆଇ.ଆଇ.ଟି. ମାଡ୍ରାସର ପୂର୍ବତନ ଛାତ୍ରୀ । ସେ ଜି.ଟି.ଆଇ.ଆଇ.ଟି. ଚୀନ୍ ଓ ଆଇ.ଆଇ.ଟି. ଧାନବାଦରେ ପୋଷ୍ଟଡକ୍ଟୋରାଲ ଗବେଷଣା କରିଛନ୍ତି । ୨୦୨୨ ରେ ତାଙ୍କୁ ପି.ଇ.ସି.ଏଫ.ଏ.ଆର. ଫେଲୋସିପ୍ ପାଇଁ ଭାରତରୁ ଚୟନ ହୋଇଥିବା ଏକମାତ୍ର ମହିଳା ଗବେଷିକା ଭାବେ ବଛାଯାଇଥିଲା, ଯାହା ମାଧ୍ୟମରେ ସେ ଜର୍ମାନୀର ଟେକ୍ନିକାଲ ୟୁନିଭର୍ସଟି ଅଫ ମ୍ୟୁନିକ (ଟି.ୟୁ.ଏମ.) ସହିତ ଗଠନାତ୍ମକ ଗବେଷଣାରେ ସହଯୋଗ କରିଥିଲେ।ସସ୍ଟେନେବଲ ଇଞ୍ଜିନିୟରିଂ ଉପରେ ଗଭୀର ଧ୍ୟାନ ଦେଇ, ଡ଼. ଜୈନ୍ ଶିଳ୍ପ ଅବଶେଷକୁ ପରିବେଶମିତ୍ର ନିର୍ମାଣ ସାମଗ୍ରୀରେ ପରିଣତ କରିବା ଓ ପ୍ରଦୂଷଣ ନିରାକରଣ ପାଇଁ ନୂତନ ବୈଜ୍ଞାନିକ ପ୍ରୟୋଗ ଆବିଷ୍କାର ଦିଗରେ କାର୍ଯ୍ୟ କରୁଛନ୍ତି। ଶିଳ୍ପ ଅବଶେଷ ମାଧ୍ୟମରେ ବିକାଶ କରାଯାଇଥିବା ଗ୍ରୀନ୍ ବିଲ୍ଡିଂ ପ୍ରୋଡକ୍ଟ ପାଇଁ ଡ଼. ଜୈନ୍ ପେଟେଣ୍ଟ ମଧ୍ୟ ପାଇଛନ୍ତି । ଏଥିସହ ତାଙ୍କ ନିଜସ୍ୱ ଷ୍ଟାର୍ଟଅପ୍ ‘ଇକୋସସ୍ଟେନ ଫୋରମ୍ସ’ ମାଧ୍ୟମରେ ସେ ଗବେଷଣା ଓ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ସଂଯୋଗ ତିଆରି କରୁଛନ୍ତି, ଓ ‘ଓ୍ବେସ୍ଟ ଟୁ ଓ୍ବେଲ୍ଥ’ ନିମିତ୍ତେ ମାନବସମାଜକୁ ଉପକୃତ କରୁଛନ୍ତି ।ଶିକ୍ଷା ଓ ଗବେଷଣା ବ୍ୟତୀତ, ଡ଼. ସୁରଭି ଓଡ଼ିଶାର ସବୁଠାରୁ ପୁରୁଣା ପରିବେଶବାଦୀ ସଂସ୍ଥା ‘ଓଡ଼ିଶା ପରିବେଶ ସମିତି’ ର ସଂଯୁକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି, ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନତା ଓ ଅଭିଯାନରେ ସକ୍ରିୟ ଭାଗ ନେଉଛନ୍ତି।’ଇନ୍ସପାୟାର୍ ଫେଲୋସିପ୍’ ଡ଼. ଜୈନ୍ଙ୍କ ଗବେଷଣା ଓ ଅନୁଷ୍ଠାନମୂଳକ କାର୍ଯ୍ୟକୁ ଆଉ ଆଗକୁ ବଢ଼େଇବା ପାଇଁ ଶକ୍ତି ଦେବ, ଏବଂ ଭାରତର ପରିବେଶ ଓ ଜଳବାୟୁ ସହିଷ୍ଣୁ ବିକାଶ ଲକ୍ଷ୍ୟ ସାଧନ ପ୍ରତି ତାଙ୍କ ସମର୍ପଣକୁ ଅବିଚଳ ରଖିବ ବୋଲି ଆଶା କରାଯାଉଛି ।



