ରଥ ଉପରେ ତିନିଦିଅଙ୍କୁ ଦେଖିବାକୁ ଭକ୍ତଙ୍କ ଭିଡ଼
ତାଳଚେର, ୦୬/୦୭ ଆଶାଢ଼ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ପବିତ୍ର ତିଥିରେ ରଥ ଉପରେ ତିନିଦିଅ ବିରାଜମାନ ହୋଇଥିବାରୁ ଦର୍ଶନ କରିବାକୁ ଭକ୍ତମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଆଜିଭଳି ପବିତ୍ର ଦିନରେ ରଥ ଉପରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ଣ୍ୟ ଅର୍ଜନ କରିବା ସହିତ ମନସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ ଏହା ପ୍ରକାଶ କରିଛନ୍ତି । ଆଜି ପ୍ରାତଃକାଳରୁ ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭକରି ଆବାଳବୃଦ୍ଧବନିତା ପର୍ଯ୍ୟନ୍ତ ରଥରେ ମହାବାହୁଙ୍କୁ ଦର୍ଶନ କରିଥିଲେ । ରଥ ଉପରେ ବିଶେଷ ଗହଳି ନକରିବାକୁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯିବା ସହ ସମସ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯାଇଥିଲା । ଘଂଟଘଂଟା, ହୁଳହୂଳି, ହରିବୋଲ, ଝାଞ୍ଜକୀର୍ତନ, ମୃଦଙ୍ଗ ଶଦ୍ଦରେ ବଡ଼ଦାଣ୍ଡଟି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଆଜି ତିନିଦିଅଙ୍କର ସୁନାବେଶ ହୋଇଥିବାରୁ ଏହି ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖାଯାଇଥିଲା । ଭଗବାନଙ୍କର ଏହି ସୁନାବେଶ ବର୍ଷକୁ ପ୍ରାୟ ୫ଥର ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ବିଜୟା ଦଶମୀ (ଦଶହରା), ପୌଷପୂର୍ଣ୍ଣିମା (ପୁଷ୍ୟାଭିଷେକ), ଦୋଳପୂର୍ଣ୍ଣିମା, କାର୍ତିକ ପୂର୍ଣ୍ଣିମା ଓ ଆଶାଢ଼ ଶୁକ୍ଳ ଏକାଦଶୀ (ରଥଉପରେ) ଏହି ବେଶ ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥ ମହାପ୍ରଭୂଙ୍କର ଏହି ପବିତ୍ର ସୁନାବେଶର ଉତ୍ପତି ପୌରାଣିକ ଆଧାରିତ ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି । ତେଣୁ ଏହି ରୂପ ଦର୍ଶନ କରିବାକୁ ଅତିଉତ୍କଣ୍ଠାର ସହ ଭକ୍ତ, ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି । ରଥଯାତ୍ରା ଠାରୁ ଆରମ୍ଭକରି ଏକଦଶୀ ପର୍ଯ୍ୟନ୍ତ ମହାବାହୁଙ୍କ ଉଦ୍ଦେଶ୍ୟରେ ଭଜନସମାରୋହର ଆୟୋଜନ କରାଯାଇଥିବାରୁ ଜନସମାଗମ ବେଶ ଯାତ୍ରାକୁ ଆକର୍ଷଣ କରୁଛି ।



