ଭୂବନେଶ୍ୱର, ୧୨/୦୭ : ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ ବଡ଼ ବଡ଼ ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ସହିତ ତାଙ୍କର ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ତାଙ୍କ ପଛରେ ଛୁରା ମରାଯାଇଥିଲା ।
ଏପରିକି ଜେଲ ଭିତରେ ତାଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଆଉ ଏଥିରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କଠାରୁ ଆରମ୍ଭ କରି ପୋଲିସ ଅଧିକାରୀ ପ୍ରତୀକ ସିଂହ ପର୍ୟ୍ୟନ୍ତ ସାମିଲ ଥିଲେ । ତାଙ୍କ ପାଖରେ ଠୋସ୍ ପ୍ରମାଣ ରହିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲମଖୁଲା କହିଛନ୍ତି ଅର୍ଚ୍ଚନା ନାଗ ।ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ପରେ ଆଜି ବଡ଼ ବଡ଼ ବିରୋଧୀ ଦଳ ନେତାଙ୍କ ସହିତ ପୋଲିସ ବାବୁଙ୍କ ନାଁ ସାମ୍ନାକୁ ଆଣିଛନ୍ତି । ଅର୍ଚ୍ଚନା କହିଛନ୍ତି ଯେ ଗିରଫ କରିବା ୨ ଦିନ ପୂର୍ବରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ୨୦୨୨ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଅକ୍ଟୋବର ୪ ତାରିଖରୁ ତାଙ୍କୁ ବାଲିଅନ୍ତା ଥାନାରେ ଅଟକ ରଖାଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କ ପୁଅ, ଘରର ହେଲପର୍, ଡ୍ରାଇଭର ଏବଂ ପୁଅଙ୍କୁ ମଧ୍ୟ ୭୨ ଘଣ୍ଟା ଯାଏ ଅଟକ ରଖାଯାଇଥିଲା । ଏମିତିକି କିଏ ଅଭିଯୋଗ କରିଥିଲେ ସେ ମଧ୍ୟ ଜାଣି ନ ଥିଲେ । ଖଣ୍ଡଗିରି ଥାନା ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ ବାଲିଅନ୍ତାରେ ରଖାଯାଇଥିଲା । ଅକ୍ଟୋବର ୬ ତାରିଖରେ ସେ କଣ ମାମଲା ଏବଂ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବାବଦରେ ଜାଣିଥିଲେ ।ଆଉ ଏହି ଷଡ଼ଯନ୍ତ୍ରରେ କିଏ କିଏ ସାମିଲ ଥିଲେ ତାହା ମଧ୍ୟ ସେ କହିଛନ୍ତି । ସେ ବହୁ ବଡ଼ ବଡ଼ ବିଜେଡ଼ି ନେତାଙ୍କ ସହିତ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ କହିଛନ୍ତି । ଏଥିରେ ପ୍ରଣବ ପ୍ରକାଶ ଦାସ (ବବି ଦାସ), କର୍ପୋରେଟର୍ ଅମରେଶ ଜେନା ଓ ମାନସ ମଙ୍ଗରାଜଙ୍କ ନାମ ସାମିଲ ରହିଛି । ସେହିପରି ତତ୍କାଳୀନ ଡିସିପି ପ୍ରତୀକ ସିଂ, ଏଡିସିପି ପ୍ରକାଶ ପାଲ, ଏସିପି ହିମାଂଶୁ ସ୍ୱାଇଁ ଏବଂ ଅନୁପ କାନୁନଗୋ । ଏହା ସେ ନୁହେଁ ବରଂ ଅଭିଯୋଗ କରିଥିବା ମହିଳା ତାଙ୍କୁ କୋର୍ଟ ପରିସରରେ କହିଛନ୍ତି । ଏଥିପାଇଁ ତାଙ୍କୁ ଟଙ୍କା ଦିଆଯାଉଥିଲା । ନିର୍ବାଚନ ପରେ ଆଉ ଟଙ୍କା ଦିଆଯାଉନଥିବା ଅଭିଯୋଗକାରୀ ମହିଳା କହିଥିବାର ରେକର୍ଡିଂ ଅର୍ଚ୍ଚନା ରଖିଥିବା କହିଛନ୍ତି ।ବିଜେଡ଼ି ନେତାମାନେ ଜେଲକୁ ସମ୍ପୂର୍ଣ୍ଣ ପରିଚାଳନା କରୁଥିଲେ । ତାଙ୍କୁ ଝାରପଡ଼ା ଜେଲରେ ମାରିଦେବାକୁ ଏବଂ ପାଗଳି ସଜାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା । ବାରମ୍ବାର ପୋଲିସ ଅଧିକାରୀମାନେ ଜେଲ ଗସ୍ତ କରୁଥିଲେ । କେବଳ ଅନ୍ୟ କଏଦୀଙ୍କ ସହଯୋଗ ସେ ବଞ୍ଚିକି ଆସିଥିବା କହିଛନ୍ତି । ତେଣୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଯଦି ଦୋଷୀ ଥିବେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ସମସ୍ତଙ୍କ ଷଡ଼ଯନ୍ତ୍ରକୁ ସେ ସାମ୍ନାକୁ ଆଣିବେ କହିଛନ୍ତି ।



