ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାର ବଡ଼ କାର୍ଯ୍ୟାନୁଷ୍ଠାନ। କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ। ପୂର୍ବରୁ ଏହି ଘଟଣାରେ ଏଚ୍ଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିବାବେଳେ, ପ୍ରିନ୍ସିପାଲଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରୁଥିଲେ ପୀଡ଼ିତାଙ୍କ ପରିବାର। ଆଉ ଏବେ ପ୍ରିନ୍ସିପାଲ ଗିରଫ ହୋଇଛନ୍ତି।
ଜଣେ ୨୦ ବର୍ଷୀୟ ବି.ଏଡ ଛାତ୍ରୀ ଶନିବାର କଲେଜ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଚେଷ୍ଟା କରିଥିଲେ। ଏହି ଘଟଣାରେ ତାଙ୍କ ଶରୀରର ୯୫% ଜଳିଯାଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ଏମ୍ସ ଭୁବନେଶ୍ୱରର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଦିଲୀପ ପରିଡାଙ୍କ ଅନୁଯାୟୀ, ଛାତ୍ରୀଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି ଏବଂ ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।



