ବିଦ୍ୟୁତ୍ ଆଘାତରେ ଛାତ୍ରୀ ମୃତ୍ୟୁ! ଓଡ଼ିଶା ବନ୍ଦ ଯୋଗୁଁ ଡ଼ାକ୍ତରଖାନାରେ ପହଁଞ୍ଚି ପାରିଲେ ନାହିଁ ମୃତ ଛାତ୍ରୀ

ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ଭାପୁର ଫାଣ୍ଡି ଧିରପାଟଣା ପାଟଣା ପଞ୍ଚାୟତ କୃଷ୍ଣ ପ୍ରସାଦ ଗାଁ ରେ ଆଜି ସକାଳ ସମୟରେ ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁଁ ସର୍ଭିସ୍ ତାର ସହ ଘର ଗ୍ରୀଲ ଚାର୍ଜ ହୋଇଯାଇଥିଲା ଓ ଏହି ଗ୍ରିଲ ସଂସ୍ପର୍ଶରେ ଆସି ଛାତ୍ରୀ ଜଣକ ମୃତ୍ୟୁ ବରଣ କରିଥିଲେ। ମୃତ ଛାତ୍ରୀ ଜଣକ ହେଉଛନ୍ତି ସନାତନ ଖୁଣ୍ଟିଆଙ୍କ ସାନ ଝିଅ ସୁଜାତା ଖୁଣ୍ଟିଆ(୯)। ସେ ସ୍ଥାନୀୟ କୃଷ୍ଣ ପ୍ରସାଦ ପ୍ରାଥମିକ ବିଦ୍ୟାଳୟର ଚୁତୁର୍ଥ ଶ୍ରେଣୀ ଛାତ୍ରୀ। ସୂଚନା ଅନୁଯାୟୀ ଆଜି ସକାଳ ଛଅଟା ପାଖାପାଖି ସୁଜାତା ଶଯ୍ୟା ତ୍ୟାଗ କରି ପରିଶ୍ରା କରିବା ପାଇଁଁ ଲୁହା ଗ୍ରୀଲ ଖୋଲୁଥିଲେ। ବର୍ଷା ଯୋଗୁଁ ଗ୍ରୀଲଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାର୍ଜିତ ହୋଇଯାଇଥିଲା। ଏହି ଗ୍ରୀଲ ଖୋଲିବା ବେଳେ ସୁଜାତା ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଝିଅକୁ ବଞ୍ଚାଇବା ପାଇଁ ବାପା ପ୍ରୟାସ କରିଥିଲେ।ଓଡ଼ିଶା ବନ୍ଦ ଯୋଗୁଁ ବିଦ୍ୟୁତ୍ ଆଘାତରେ ଆହାତ ସୁଜାତାକୁ ଡାକ୍ତରଖାନା ନେବା ପାଇଁ କୌଣସି ଯାନବାହନ ର ବ୍ୟବସ୍ଥା ହୋଇପାରିଲା ନାହିଁ । ସହାୟତା ପାଇଁ ଗ୍ରାମବାସୀ ସ୍ଥାନୀୟ ରାଜସ୍ବ ଅଧିକାରୀ, ଅତିରିକ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ଯ କେହି ଫୋନ ଉଠାଇ ନଥିଲେ। ପରେ ତହସିଲଦାରଙ୍କୁ ଫୋନ ଯୋଗେ ଏ ଘଟଣା ବିଷୟରେ ସୂଚନା ଦେଇଥିଲେ। ସେ ରାଜସ୍ବ ନୀରିକ୍ଷକଙ୍କୁ ପଠାଇବାକୁ ଆଶ୍ଵସନା ଦେଲେ। ୧୦୮ ଆମ୍ବୁଲାନ୍ସ ସହାୟତା ପାଇଁ ଯୋଗାଯୋଗ କରିଥିଲେ ମଧ୍ଯ ନେଟୱର୍କ ସମସ୍ୟା ପାଇଁ ଯୋଗାଯୋଗ ହୋଇ ପାରି ନଥିଲା। ଏ ମଧ୍ୟରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ରାଜସ୍ବ ନୀରିକ୍ଷକ ମାତ୍ରାଧିକ ବିଳମ୍ବ ଯୋଗୁଁ ଗ୍ରାମବାସୀଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଛାତ୍ରୀଙ୍କ ପିତା ସନାତନ ଖୁଣ୍ଟିଆ ଜଣେ ଦିନ ମଜୁରୀଆ ହୋଇଥିବାରୁ ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ ତାଙ୍କୁ ସରକାରୀ ସହାୟତା ଦେବା ସହ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।



