ପି.ଏମ. କିଷାନ ସମ୍ମାନ ନିଧି ଯୋଜନାର ଅର୍ଥ ହସ୍ତାନ୍ତର
ଢ଼େଙ୍କାନାଳ, ତା. ୨.୦୭.୨୦୨୫- ଆଜି ପୂର୍ବାହ୍ନରେ ଉତ୍ତର ପ୍ରଦେଶର ବାରଣାସୀ ସହରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀମାନଙ୍କ ଜମା ଖାତାରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ଆଜି ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଖାଦ୍ୟ ଓ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷକ ଭାଇ ଭଉଣୀମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ସରକାର ସର୍ବାଧିକ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶାକୁ ଅଧିକ ବିକଶିତ କରିବା ପାଇଁ ସମସ୍ତ କୃଷକ ବନ୍ଧୁ ନିଜର ପଞ୍ଜିକରଣ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ଏହି ଅବସରରେ ଆଜି ରାଜ୍ୟର ୩୪ ଲକ୍ଷ ୮୫ହଜାର ୮୮୧ ଜଣ କୃଷକ ଭାଇ ଭଉଣୀମାନଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, କାମାକ୍ଷା ନାଗରର ମାନ୍ୟବର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀ ବିଭୃତି ଭୂଷଣ ପ୍ରଧାନ, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ନରେଶ ଚ଼ନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ କୃଷି ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



