ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ ଭିତରେ ବିଲ୍ ପାସ୍ କରିଦିଆଯାଇଛି । ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି।
ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା । ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ ।ନିର୍ମଳା ସୀତାରମଣ କହିଛନ୍ତି ଯେ, ନୂତନ ବିଲ୍ ପୁରୁଣା ୧୯୬୧ ଆୟକର ଆଇନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇବ । ପୁରୁଣା ବିଲ୍ ରେ ଦ୍ୱନ୍ଦ୍ୱ ଥିଲା, ତେଣୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି ଏବଂ ସବୁକିଛି ସଠିକ୍ ଏବଂ ସ୍ପଷ୍ଟ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରାଯାଇଛି ।ଅର୍ଥମନ୍ତ୍ରୀ ସୀତାରମଣ ସଂସଦକୁ କହିଛନ୍ତି ଯେ ,ଆମେ କିଛି ପରାମର୍ଶ ପାଇଛୁ, ଯାହାକୁ ଆଇନର ପ୍ରକୃତ ଅର୍ଥ ବାହାରକୁ ଆଣିବା ପାଇଁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏଥିରେ ଡ୍ରାଫ୍ଟିଂ ଭୁଲ ସଂଶୋଧନ, ବାକ୍ୟ ବ୍ୟବସ୍ଥା ଏବଂ କ୍ରସ୍-ରେଫରେନ୍ସିଂ ଭଳି ପରିବର୍ତ୍ତନ ଅନ୍ତର୍ଭୁକ୍ତ ।



