“ବିପର୍ଯ୍ୟସ୍ତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ହାତଠାରି ଡାକୁଛି ବିଭିନ୍ନ ସଂକ୍ରମଣକୁ”

“ଭଦ୍ରାସାହି ଛକରେ କୁଢ଼ କୁଢ଼ ଆବର୍ଜନା”ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ”

ସମ୍ପ୍ରତି ଏବେ କ୍ରମାଗତ ଭାବେ ବର୍ଷା ହୋଉଥିବାବେଳେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନ ଗୁନିଆ ଭଳି ବିଭିନ୍ନ ସଂକ୍ରାମକ ରୋଗ ମୁଣ୍ଡ ଟେକୁଛନ୍ତି। ସତର୍କତା ମୂଳକ ପଦକ୍ଷେପ ସଦୃଶ ସ୍ବଚ୍ଛତା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। ଗଳିକନ୍ଦି,ସାହିବସ୍ତି,ବଜାର,ରାସ୍ତାଘାଟ,ହୋଟେଲ, ଜଳଖିଆ ଦୋକାନ ଆଦି ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଅଛି। ହେଲେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ବ୍ଲକ ଅନ୍ତର୍ଗତ, ଭଦ୍ରାସାହି ଛକ ରେ ଦେଖିବାକୁ ମିଳିଛି ଏହାର ସମ୍ପୂର୍ଣ୍ଣ ବିପରୀତ ପରିସ୍ଥିତି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ ଅଞ୍ଚଳର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳେ। ତେବେ ଉପଯୁକ୍ତ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥା ଅଭାବରୁ ରାସ୍ତା କଡରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି। ଦିନ ଦିନ ଧରି ପଡି ରହିଥିବା ଏହି ଆବର୍ଜ୍ଜନା ଉତ୍କଟ ଦୁର୍ଗନ୍ଧ ସୃଷ୍ଟି କରୁଥିବାବେଳେ ନାକରେ ହାତଦେଇ ସ୍କୁଲ ପିଲା ଓ ସାଧାରଣ ଲୋକେ ଯିବା ଆସିବା କରୁଛନ୍ତି। ଏହାକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଖଣି,ଖାଦାନ ଭରା ଭଦ୍ରାସାହି ଛକ ଅଞ୍ଚଳ ବେଶ ଜଣାଶୁଣା। ଏହି ଛକରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଠାରୁ ଆରମ୍ଭ କରି ପ୍ରମୁଖ ଖଣି ବ୍ୟବସାୟୀ ମଧ୍ୟ ରହୁଛନ୍ତି। ପ୍ରତ୍ୟେକ ଦିନ ଜିଲ୍ଲା,ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଲୋକ ଏହି ଛକ ସହିତ ସ୍ୱତ ପ୍ରବୁତଃ ଭାବେ ଜଡ଼ିତ ଅଛନ୍ତି। ଏଠାରେ ପଞ୍ଚାୟତ ମୁଖ୍ୟାଳୟ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ,ବେସରକାରୀ କାର୍ଯ୍ୟାଳୟ ରହିଛି। ବହୁ ଛୋଟ ବଡ ବ୍ୟବସାୟୀ ଏହି ଛକରେ ଦୋକାନ କରି ଗୁଜୁରାଣ ମେଣ୍ଟଉଛନ୍ତି। ଏହି ଛକ ଦେଇ ବଡବିଲ,କେନ୍ଦୁଝର, କୋଇଡା ଠାରୁ ଆରମ୍ଭ କରି କଟକ,ଭୁବନେଶ୍ବର, ରାଉରକେଲା ଏବଂ କଲିକତା ଆଦି ସହରକୁ ବସ ସବୁ ଚଳାଚଳ କରୁଥିବାବେଳେ ବିଭିନ୍ନ ସ୍ଥାନ କୁ ଯିବା ଆସିବା ନିମନ୍ତେ ଯାତ୍ରୀମାନେ ଏହି ଛକ ଉପରେ ନିର୍ଭର କରୁଛନ୍ତି। ଦୁଃଖ ଓ ପରିତାପର ବିଷୟ ଏହି ଛକର ସ୍ବଚ୍ଛତା ନେଇ ସ୍ଥାନୀୟ ପ୍ରଶାସନର ତିଳେ ମାତ୍ର ତତ୍ପରତା ଦେଖିବାକୁ ମିଳୁନାହିଁ। ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଆବର୍ଜନା ପଡିଥିବାବେଳେ ସଠିକ୍ ପରିଚାଳନା ଅଭାବ ଓ ବିଭାଗୀୟ ଅଧିକାରୀ ଙ୍କ ଖାମ ଖିଆଲି ମନୋଭାବ ରୁ ସପ୍ତାହ ସପ୍ତାହ ଧରି ଗଦା ହୋଇ ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା। ବର୍ଷା ପାଣିରେ ଆବର୍ଜନା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ହୋଟେଲ ଏବଂ ଅନ୍ୟାନ୍ୟ ଦୋକାନରେ ବସିବା କଷ୍ଟକର ହୋଇ ପଡିଥିବାବେଳେ ରାସ୍ତାରେ ଚାଲି ଚାଲି ଯିବ ସମୟରେ ସ୍କୁଲ ପିଲା ଏବଂ ଜନ ସାଧାରଣଙ୍କୁ ନାକରେ ହାତ ଦେଇ ଯିବାକୁ ପଡ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନିକଟରେ ଜନ ବସତି ରହିଥିବାରୁ ଏହି ଅବର୍ଜନାମୟ ପରିବେଶ ଯୋଗୁଁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଂକା ସୃଷ୍ଟି ହୋଇଛି। ଏହାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ଏଦିଗରେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବିହୁଏ କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



