ଭଟଲି ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ
ଭଟଲି : -ଭଟଲି ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର ସ୍ଵାଗତ ଭାଷଣ ଦେଇଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଜିଲ୍ଳା ସାମାଜିକ ସମୀକ୍ଷକ ଆନନ୍ଦ ପଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସାରାଣୀ ଗଡତିଆ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ୍ ହାଁସଦା ଯୋଗଦେଇ ଥିଲେ। ଜିଲ୍ଲା ସାମାଜିକ ସମୀକ୍ଷକ ବିଭିନ୍ନ ଯୋଜନାର ଉପକାରିତା ତଥା ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ। ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁ ସାମାଜିକ ସମୀକ୍ଷା ପ୍ରକ୍ରିୟା ସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅକ୍ଟୋବର ୨୦୨୪ରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ବନବିଭାଗ, ଉଦ୍ୟାନବିଭାଗ, ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିଭାଗ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ନଥିପତ୍ର ତଥା କ୍ଷେତ୍ର ପରିଦର୍ଶନ ଯାଞ୍ଚ ସମୟରେ ବାହାରିଥିବା ୧୦୮ ଗୋଟି ଅଭିଯୋଗ ଓ ସମସ୍ୟାର ସମାଧାନ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ l ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅପ୍ରେଲ ୨୦୨୪ ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ପଞ୍ଚାୟତର ନଥିପତ୍ର ଯାଞ୍ଚ ତଥା ଗୃହ ପରିଦର୍ଶନ ସମୟରେ ବାହାରିଥିବା ୮୬ ଗୋଟି ସମସ୍ୟା ଉପସ୍ଥାପନ କରଯାଇଥିଲା । ଏହାପରେ ସାମାଜିକ ସମୀକ୍ଷା ଗ୍ରାମସଭାରେ ଉଠିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦିନ ଧାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା l ଗତ ସାମାଜିକ ଜନ ଶୁଣାଣୀରେ ବାହାରିଥିବା ସମସ୍ୟାର ସମାଧାନ ରିପୋର୍ଟ ଆଜି ପର୍ଯ୍ୟନ୍ତ ଦେଇନଥିବାରୁ ଶୀଘ୍ର ଦେବାକୁ ଗୋଷ୍ଠୀ ସାମାଜିକ ସମୀକ୍ଷକ ଶ୍ରୀପ୍ରଧାନ କହିଥିଲେ। ଏହି ସମୟରେ ଭଟଲି ବ୍ଲକରେ ୬୪୦ ଗୋଟି ପ୍ରକଳ୍ପରେ ୮୧ହଜାର ୪୫୧ ଶ୍ରମଦିବସ ସୃଷ୍ଟି ହୋଇଥିଲା ଯେଉଁଥିରେ ୪୬୭୩ ପରିବାର ଉପକୃତ ହୋଇଥିଲେ l ଏହି ସମୟରେ ବିଭିନ୍ନ ପ୍ରକଳ୍ପରେ ୫ କୋଟି ୫୦ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ହୋଇଥିବା ବେଳେ ୧୯ ପରିବାର ୧୦୦ ଦିନର କାମ ସମ୍ପୂର୍ଣ କରିଥିଲେ l ଏହି ଅବସରରେ ମନରେଗା ଯୋଜନାରେ ୧୦୦ ଦିନ କାମ ସମ୍ପୂର୍ଣ୍ଣ କରିଥିବାରୁ ଅଣ କୁଶଳୀ ଶ୍ରମିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏକ ପେଡ୍ ମା କେ ନାମ ପାଳନ ଅବସରରେ ଅତିଥି ମାନଙ୍କୁ ଚାରା ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭଟଲି ବ୍ଲକର ଯୋଗାଣ ନିରୀକ୍ଷକ ଶାନ୍ତାକାର ପଧାନ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ, ଗ୍ରାମ୍ୟ ରୋଜଗାର ସେବକ, ଯୋଗାଣ ସହାୟକ, ଗ୍ରାମ୍ୟ ସମ୍ବଲ କର୍ମୀ, କନିଷ୍ଠ ଯନ୍ତ୍ରୀ, ବନପାଳ, ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ ଏବଂ ମୃତ୍ତିକା ସଂରକ୍ଷଣ ତଥା ଜଳଛାୟା ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ l ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସାରାଣୀ ଗଡ଼ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ କମ୍ୟୁଟର କାର୍ଯ୍ୟକ୍ରମ ମୁଖ୍ୟ ଗିରିଧାରୀ ଭୋଇ, ଏସିପି ପ୍ରଭାତ କୁମାର ପଣ୍ଡା, ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସରୋଜ କୁମାର ପାତ୍ର ଏବଂ ଅଂଶୁ ସାହୁ ସହଯୋଗ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)