ରାସ୍ତା ଅବରୋଧକୁ ନେଇ କୃଷ୍ଣକୁମାରପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ଢେଙ୍କାନାଳ, ୧୫/୯ : କୃଷ୍ଣକୁମାରପୁର ଖମାର (ପଡା-ବିରାଡିଆ) ଗ୍ରାମର ଖାଲ ବନ୍ଦୋବସ୍ତରେ ଥିବା ରାସ୍ତା ଖାତା ନଂ-୩୭୬, ପ୍ଲଟ୍ ନଂ-୧୩୩୧କୁ ସେହି ଗ୍ରାମର ଅଞ୍ଜଳି ମିଶ୍ର ଅବରୋଧ କରୁଥିବାରୁ ରାସ୍ତା ଖୋଲିବା ନିମନ୍ତେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ପତ୍ରମାଧ୍ୟମରେ ଜଣାଇଛନ୍ତି । ପ୍ରକାଶ ଯେ, ଗ୍ରାମବାସୀମାନେ ଉକ୍ତ ରାସ୍ତାରେ ପୂର୍ବରୁ ଚାଷଜମିକୁ ଯିବା ପାଇଁ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ବିଲକୁ ଶଗଡ ନେବା, ହଳ ନେବା ଇତ୍ୟାଦି ଚାଷଜମିକୁ ନେଉଥିଲେ । ଏବେ ତାହା ବନ୍ଦ କରିଦେବାରୁ ଗ୍ରାମବାସୀ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀମତୀ ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଏହା ସରକାରୀ ଜାଗା ମୁଁ ଦଖଲ କରିଛି । ତେଣୁ ଗ୍ରାମବାସୀମାନେ ଏହାକୁ ବିଚାର କରି ତହସିଲଦାରଙ୍କ ଜରିଆରେ ରାସ୍ତାଟିକୁ ଖୋଲାଗଲେ ସମସ୍ତ ଗ୍ରାମବାସୀ, ଚାଷୀ, ମୁଲିଆ ଓ ଜନସାଧାରଣ ଚାଷଜମିକୁ ଯିବା ଆସିବା ସୁବିଧାରେ କରିପାରିବେ ବୋଲି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଲଳିତ କୁମାର ବେହେରାଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ଦାଖଲ ସମୟରେ ଗ୍ରାମର କପିଳ ମାଝୀ, କୃଷ୍ଣଚନ୍ଦ୍ର ସାହୁ, ବୈକୁଣ୍ଠନାଥ ସାମଲ, ସୁମନ ସାମଲ, ମେଘନାଦ ସାମଲ, ବୀରେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।



