ଅନୁଗୋଳରେ ଜିଲ୍ଲା ସ୍ତରୀୟ ଗାନ୍ଧି ଜୟନ୍ତି ପାଳିତ

ଅନୁଗୋଳ,ତା. ୦୨.୧୦:- ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୬ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧି ପାର୍କ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜନ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବୁଦ୍ଧିଜିବୀ ପ୍ରମୁଖ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ଓ ଶାନ୍ତିର ଦୁତ ଲାଲବାହାଦୁର ଶାସ୍ତ୍ରୀଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ଅବସରପ୍ରାପ୍ତ ସଭାପତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ, ଡ. ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. କୁଳମଣୀ ନାୟକ ଓ ବାଜି ରାଉତ ଛାତ୍ରାବାସର ଛାତ୍ରୀମାନେ ଗୀତା ପାଠ କରିଥିବାବେଳେ ରେଭରେଣ୍ଟ ଯୋଶିୟ କାଊରୀ ବାଇବେଲ ପାଠ କରିଥିଲେ ।

ମୌଲାନା ମହମ୍ମଦ ଲିୟାକତ କୋରାନ ପାଠ କରିଥିଲେ । ଗାନ୍ଧି ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟୁଷରେ ସହରରେ ରାମଧୁନ ରେକର୍ଡ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱେଛାସେବୀ, ବୁଦ୍ଧିଜିବୀ, ଗାନ୍ଧୀପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଅପରାହ୍ନରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ନେଇ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଡ.ଧରଣୀ ଧର ନାଥ,ମୁଖ୍ୟ ବକ୍ତା ଭାବେ ପ୍ରଫେସର କୁମୁଦ ଚନ୍ଦ୍ର ଦାସ,ସମ୍ମାନିତ ବକ୍ତା ଡ. ଦଧିବାମନ ପ୍ରଧାନ ଓ ସଂଯୋଜକ ଡ. ବୈରାଗୀ ମଲ୍ଲିକ ଯୋଗ ଦେଇ ଗାନ୍ଧିଙ୍କ ଜୀବନି, ଅହିଂସା ନୀତି ଓ ଆଦର୍ଶ ସମ୍ପର୍କରେ ପୁଙ୍ଖାୁନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।




