ମା’ କାମନାକାଳୀଙ୍କର ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, ୨/୧୧: ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମରେ ମା’କାମନାକାଳୀଙ୍କର ଜନ୍ମ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା କରାଯାଇ ଶତାଧିକ ପୁରୁଷ ଓ ମହିଳା କଳସ ଧାରଣ କରି ଘଣ୍ଟ ଓ ବାଦ୍ୟଦ୍ୱାରା ଗ୍ରାମ ପରିଭ୍ରମଣ କରି ମା’ଙ୍କ ପୀଠରେ ସ୍ଥାପନ କରାଯାଇଥିଲା। ପରେ ଅଧିବାସ ପୂଜା ଓ ଅଗ୍ନି ସଂସ୍କାର ସ୍ଥାପନ କରାଯାଇଥିଲା । ମା’ଙ୍କ ଜନ୍ମୋତ୍ସବ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୫ ତାରିଖ କାର୍ତିକ ପୂର୍ଣମୀ ଦିନ ପୂର୍ଣାହୁତି ଅନୁଷ୍ଠିତ ହେବ । ୧ ତାରିଖରେ ଅଙ୍କୁରାରୋପଣ ଓ ମଣ୍ଡଳକରଣ ଅନୁଷ୍ଠିତ ହୋଇଥିବାବେଳେ ୨ ତାରିଖରେ ଘଟଆବାହନ ଓ କଳସଯାତ୍ରା, ୩ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସାଲାପୂଜା ଓ ମା’ଙ୍କ ପାଖରେ ୧୦୦୮ ଆହୁତି ପ୍ରଦାନ କରାଯିବ । ୪ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସାଲା ପୂଜା ଓ ଗୀତା ଯଜ୍ଞ ଏବଂ ୫ ତାରିଖ ଦିନ ସୂର୍ଯ୍ୟପୂଜା, ଗୋପୂଜା, ସାଲାପୂଜା, ଚଣ୍ଡୀପୂଜା ଓ ପୂର୍ଣାହୁତି ହେବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ଅନୁଷ୍ଠିତ ହେବ । ପ୍ରତ୍ୟହ ଦେବୀ ମହାସ୍ନାନ ଷୋଡଶ ଉପଚାର ପୂଜା ଓ ସଂଧ୍ୟା ଆଲତି ପ୍ରଦାନ କରାଯିବ । ମୁଖ୍ୟ ପୂଜକ ଚିତରଞ୍ଜନ ଦାସ, କର୍ତା ହିମାଂଶୁ ପ୍ରଧାନ, କର୍ତୀ ସୁଫଳା ପ୍ରଧାନ, କର୍ତା ବାଦଲ ସାଇଁ, କର୍ତୀ ରିତୁ ସାଇଁ ଏବଂ ନରଣପୁର ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।



