ବିଶ୍ୱର ୧୨୦ରୁ ଅଧିକ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍ଚ୍ ବିଜୟୀ ହୋଇଛନ୍ତି। ୨୪ ବର୍ଷୀୟ ଫାତିମା ଏହି ମର୍ଯ୍ୟାଦାଜନକ ମୁକୁଟ ହାସଲ କରିଛନ୍ତି। ସେ ପୂର୍ବତନ ମିସ୍ ୟୁନିଭର୍ସ ନିକୋଲ୍ ମ୍ୟାର୍ଚ୍ୟାଣ୍ଟଙ୍କଠାରୁ ମୁକୁଟ ଗ୍ରହଣ କରିଥିଲେ।
ପ୍ରତିଯୋଗିତାର ଆରମ୍ଭରେ ଜଣେ ଜଜଙ୍କ ଟିପ୍ପଣୀ ଫାତିମାଙ୍କୁ ନିରାଶ କରି ଦେଇଥିଲା। ତେଣୁ ସେ ୱାକ୍ଆଉଟ୍ କରି ମଞ୍ଚରୁ ଓହ୍ଲାଇ ଯାଇଥିଲେ। ଶେଷରେ ପ୍ରତିଯୋଗିତା ଜିତିବା ପରେ ଫାତିମାଙ୍କୁ ଗତବର୍ଷର ବିଜେତା ଡେନମାର୍କର ଭିକ୍ଟୋରିଆ କେଜେର ଥିଲ୍ଭିଗ୍ ମୁକୁଟ ପିନ୍ଧାଇଥିଲେ। ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ଭାବପ୍ରବଣ ହୋଇ ଫାତିମା ଆନନ୍ଦରେ କାନ୍ଦି ପକାଇଥିଲେ।ଫାତିମା ସମସ୍ତଙ୍କ ସମ୍ମୁଖରେ ଖୋଲାଖୋଲି ଭାବେ ନିଜର ରୋଗ ବିଷୟରେ ଆଲୋଚନା କରି କହିଥିଲେ, ‘ପିଲାଟି ଦିନରେ ମୁଁ ଡିସଲେକ୍ସିଆ ଓ ଏଡିଏଚଡି ରୋଗରେ ପୀଡ଼ିତ ଥିଲି। ଏହି ରୋଗ ହେତୁ ମୋର ପାଠପଢ଼ିବା ପ୍ରତି ସମସ୍ୟା ରହୁଥିଲା। କେତେବେଳେ ଅକ୍ଷରର କ୍ରମ ଜାଣି ହେଉ ନଥିଲା ତ କେତେବେଳେ ଧ୍ୟାନ ଦେବା କଷ୍ଟକର ହେଉଥିଲା। ଏଥିପାଇଁ ମୁଁ ଅନେକ ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଠାରୁ ଗାଳି ବି ଖାଇଛି କିନ୍ତୁ କେବେ ହେଲେ ମୋର ଦୁର୍ବଳତା ଜଣାଇବାକୁ ଦେଇ ନଥିଲି। ରୋଗ ହେତୁ ମୁଁ ଅନ୍ୟ ପିଲାଙ୍କ ତୁଳନାରେ ଅଧିକ ପରିଶ୍ରମ କରୁଥିଲି। ନିଜର ଉପରେ ରଖିଥିବା ଦୃଢ଼ ଆତ୍ମବିଶ୍ବାସ ପାଇଁ ମୋତେ ମିଳିଥିବା ସଫଳତା ଆଜି ଆପଣମାନଙ୍କ ସାମ୍ନାରେ ରହିଛି।’ଭାରତର ପ୍ରତିନିଧିତ୍ବ କରିଥିବା ମନିକା ବିଶ୍ୱକର୍ମା ପ୍ରତିଯୋଗିତାରେ ନିଜର ଦୃଢ଼ ପ୍ରଦର୍ଶନ ଆରମ୍ଭ କରି ଟପ୍ ୩୦ରେ ସ୍ଥାନ ପାଇଥିଲେ। ତେବେ ସ୍ୱିମ୍ସୁଇଟ୍ ରାଉଣ୍ଡରେ ସୁନ୍ଦର ପ୍ରଦର୍ଶନ କରିଥିଲେ ମଧ୍ୟ ସେ ଟପ୍ ୧୨ ଫାଇନାଲିଷ୍ଟ୍ରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ ଏବଂ ପ୍ରତିଯୋଗିତାରୁ ବାହାରିଯାଇଥିଲେ।



