ମଠକରଗୋଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
କାମାକ୍ଷାନଗର,ତା ୨୮.୧୧.୨୦୨୫_________________________କାମାକ୍ଷାନଗର ଉପଖଣ୍ଡ ମଠକରଗୋଳା ମହାବିଦ୍ୟାଳୟରେ “ଶୂନ୍ୟ ମୃତାହତ ପକ୍ଷ” ପାଳନ ଅବସରରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ, ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସହାୟତା କ୍ରମେ ମହାବିଦ୍ୟାଳୟ ର ଜାତିୟ ସେବା ଯୋଜନା, ଭାରତ ସ୍କାଉତ୍ ଓ ଗାଇଡ ତଥା ଯୁବ ରେଡ କ୍ରସ୍ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନ ର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ସଭାପତିତ୍ବ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସଂପର୍କ ରେ ଅବଗତ କରାଇବା ସହ ସଡ଼କ ସୁରକ୍ଷା ନୀତି ପାଳନ ଓ ପରିବହନ ନିୟମାବଳୀ ର ସଫଳ କାର୍ଯ୍ୟାନ୍ଵୟନ ଉପରେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ମାର୍ଗଦର୍ଶନ କରିଥଲେ। ମୁଖ୍ୟ ଅତିଥି ଓ ପ୍ରଶିକ୍ଷକ ଭାବେ ସହ ଆଞ୍ଚଳିକ ପରିବହନ ଅଧିକାରୀ ସାର୍ଥକ ଦତ୍ତ ଯୋଗ ଦେଇ ଶୂନ୍ୟ ମୃତାହତ ଉପରେ ଗୁରୁତ୍ଵ ଆରୋପ କରିଥିଲେ। ନିରାପଦ ଗାଡି ଚାଳନା ପାଇଁ ସେ ନିଶାମୁକ୍ତ, ଆବଶ୍ୟକୀୟ ଗତି, ଦୁରାଭାଷ ଯନ୍ତ୍ରର ବ୍ୟବହାରର କଟକଣା ତଥା ଟ୍ରାଫିକ ନିୟମାବଳୀ ର ଶତ ପ୍ରତିଶତ ପାଳନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅନ୍ୟତମ ପ୍ରଶିକ୍ଷକ ରାକେଶ ରଂଜନ ସାହୁ ଓ ରାଜ୍ୟ ରେଡ୍ କ୍ରସ୍ ସୋସାଇଟି ର ସଭ୍ୟ ତଥା ରକ୍ତ ଦାତା ସମାଜ ସେବୀ ବିରଞ୍ଚି ନାରାୟଣ ପାଣି ପ୍ରମୁଖ ଶୂନ୍ୟ ମୃତାହତ ପକ୍ଷ ପାଳନ ର ବିଭିନ୍ନ ଦିଗ ଯଥା ଟ୍ରାଫିକ ନିୟମାବଳୀ, ଶୂନ୍ୟ ମୃତାହତ, ଟ୍ରାଫିକ ସଂକେତ, ଗାଡ଼ି ଚାଳନାରେ ନିରାପଦ ବେଗ ଓ ଆଇନ ଉଲଙ୍ଘନ ପାଇଁ ଥିବା ଜୋରିମାନା ଓ ଦଣ୍ଡ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଜୋଜିକା ସ୍ଵପ୍ନିତl ରାଉତ, ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ଶ୍ରଦ୍ଧାଞ୍ଜଳୀ ସ୍ୱାଇଁ, ନବ କିଶୋର ସି, ଅର୍ଚ୍ଚିତା ମହାମାନସିଂ ଓ ଲଲିତ କୁମାର ବେହେରା ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ନିରାପଦ ଓ ସୁରକ୍ଷିତ ଜୀବନ ଯାପନ ପାଇଁ ଉପଦେଶ ପ୍ରଦାନ କରିଥିଲେ। ବିନୟ କୁମାର ଦାସ, ଶୁଭେନ୍ଦୁ ପରିଡ଼ା ,ରଶ୍ମି ରଞ୍ଜନ ମହାପାତ୍ର, ଓ ଛାତ୍ରୀ ସାବିତ୍ରୀ ବେହେରା ବୈଷୟିକ ସହାୟତା ପ୍ରଦାନ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



