ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାଂସଦ ଖେଳ ମହୋତ୍ସବ ଯୋଗୁଁ ଦେଶରେ ହଜାର ହଜାର କ୍ରୀଡ଼ାବିତ୍ ସୃଷ୍ଟି ହୋଇଛନ୍ତି । ଆଜି ସାଂସଦ ଖେଳ ମହୋତ୍ସବକୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ସାଂସଦ ଖେଳ ମହୋତ୍ସବର ପରିସର ବ୍ୟାପକ ହୋଇଛି ଏବଂ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ।
ସେ କହିଛନ୍ତି ଏହି କ୍ରୀଡ଼ା ପର୍ବ ଯୁବଶକ୍ତିକୁ ଦେଶ ଗଠନର ମନ୍ତ୍ରରେ ଅଭିଷିକ୍ତ କରାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ହାର୍ ଜିତ୍ଠାରୁ ଊର୍ଦ୍ଧ୍ୱରେ ରହି କ୍ରୀଡ଼ାବିତ୍ମାନେ ସେମାନଙ୍କର ଖେଳୁଆଡ ମନୋଭାବ ଜରିଆରେ ପ୍ରତ୍ୟେକ କ୍ରୀଡ଼ାର ବିକାଶ ଲାଗି ଅବଦାନ ଦେଉଛନ୍ତି । ସମର୍ଥ ଏବଂ ଶୃଙ୍ଖଳିତ ଯୁବପିଢ଼ୀ ଦେଶର ଭବିଷ୍ୟତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୩୦ରେ ଭାରତ ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି । ଏହାଉପରେ ସାରା ବିଶ୍ୱର ନଜର ରହିଛି ବୋଲି ସେ କହିଛନ୍ତି । ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବା ନେଇ ଭାରତ ଉଦ୍ୟମ କରୁଥିବା ସେ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେଉଁମାନେ ଆଗାମୀ ଦିନରେ ଭାରତର ପ୍ରତିନିଧିତ୍ୱ କରିବେ ସେମାନଙ୍କ ବୟସ ଏବେ ୧୦ରୁ ୧୨ବର୍ଷ ହୋଇଥିବ । ତେଣୁ ବର୍ତ୍ତମାନଠାରୁ ସେମାନଙ୍କୁ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ସମର୍ଥ କରିବା ଲାଗି ସାଂସଦ ଖେଳ ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ପିତାମାତାମାନଙ୍କୁ ସୋମାନଙ୍କ ପିଲାକୁ କ୍ରୀଡ଼ାପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି କ୍ରୀଡ଼ା କେବଳ ଶିକ୍ଷଣର ଏକ ଅଂଶବିଶେଷ ନୁହେଁ ବରଂ ଏହା ଏକ ସୁଯୋଗ । ସେ କହିଛନ୍ତି ଏକ ସୁସ୍ଥମନ ଏବଂ ସୁସ୍ଥ ଶରୀର ପାଇଁ କ୍ରୀଡ଼ା ଅତ୍ୟନ୍ତ ଅପରିହାର୍ଯ୍ୟ ।



