‘କଲ୍ୟାଣୀ ଷ୍ଟିଲ୍ ଗଜମରା’ ପ୍ରତିବଦଳରେ ‘କଲ୍ୟାଣୀ ଷ୍ଟିଲ୍ ତାଳବରକୋଟ, ଢେଙ୍କାନାଳ’ ନାମରେ ନାମିତ କରିବାକୁ ତାଳବରକୋଟ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ନିବେଦନ
ଢେଙ୍କାନାଳ, ୨/୨: କ୍ୟାବିନେଟ୍ରେ ମଞ୍ଜରୀ ପାଇଥିବା ଢେଙ୍କାନାଳ ଜିଲ୍ଲା ଗଜମରାସ୍ଥିତ ‘କଲ୍ୟାଣୀ ଷ୍ଟିଲ୍, ଗଜମରା’ ସ୍ଥାପନ ହେବ । ଏହି ସ୍ଥାପନକୁ ନେଇ ତାଳବରକୋଟ ଗ୍ରାମପଂଚାୟତବାସୀ କିଛି ଦାବୀ ନେଇ ଜିଲ୍ଲାପାଳଙ୍କୁ ଅଦ୍ୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀରେ ପ୍ରଦାନ କରିଛନ୍ତି । ‘କଲ୍ୟାଣୀ ଷ୍ଟିଲ୍ -ଗଜମରା’ ନାମ ପରିବର୍ତନ କରି ‘କଲ୍ୟାଣୀ ଷ୍ଟିଲ୍ -ତାଳବରକୋଟ,ଢେଙ୍କାନାଳ’ ରଖାଯିବାକୁ ପଂଚାୟତବାସୀ ନିବେଦନ କରିଛନ୍ତି । ଓଡିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬ ଅନୁଯାୟୀ ସ୍ଥାନୀୟ ପ୍ରଜାମାନଙ୍କୁ କମ୍ପାନୀରେ ନିଯୁକ୍ତି କିମ୍ବା ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଉ। ଧାରା ୧୦୨ ଅନୁସାରେ ମୂଳ ଆଓ୍ବାର୍ଡ ପରିମାଣର ୪୦% ଅତିରିକ୍ତ କ୍ଷତିପୂରଣ ରାଶି ଜମିହରା ପ୍ରଜାମାନଙ୍କୁ ପ୍ରଦାନ କରାଯାଉ । ପ୍ଲଟ୍ ନଂ-୨୫୦୫ ଓ ୨୫୧୬ରେ ଥିବା ଜଳାଶୟ ତଥା ତତ୍ସଂଲଗ୍ନ ଆଡିର ହସ୍ତାନ୍ତର ପ୍ରକ୍ରିୟା ବନ୍ଦ କରାଯାଉ ଓ ଗ୍ରାମର ଶ୍ମଶାନ ରୂପେ ବ୍ୟବହୃତ ଜମିର ମଧ୍ଯ ହସ୍ତାନ୍ତର ପ୍ରକ୍ରିୟା ବନ୍ଦ କରାଯାଉ। ଗୋଚର ଜମି ବଦଳରେ ସମ ପରିମାଣର ଜମି ଗୋଚର ନିମନ୍ତେ ଗ୍ରାମବାସୀଙ୍କୁ ଦିଆଯାଉ । ତାପମାତ୍ରା, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ର ନିଷିମନକୁ ହ୍ରାସ କରିବା ନିମନ୍ତେ ପଦକ୍ଷେପ ନିଆଯାଉ। ଗ୍ରାମକୁ ଶୁଳ୍କମୁକ୍ତ ପାନୀୟ ପାନୀୟ ଜଳ ଯୋଗାଣ ଓ ସୌର ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରାଯାଉ । ନିର୍ବିବାଦୀୟ ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଟଙ୍କା ସୁଧ ସହ କ୍ଷତିପୂରଣ ପ୍ରଦାନ କରାଯାଉ । ଆଖପାଖ ଅଂଚଳର ଗ୍ରାମଗୁଡିକରେ ଉନ୍ନୟନ କାର୍ଯ୍ୟ କରାଯାଉ। ଆଖପାଖ ଅଂଚଳରେ ଗମନାଗମନ ସୁବିଧା ଓ କୋଠା ନିର୍ମାଣ ନିମନ୍ତେ ସ୍ଥାନୀୟ କଂଟ୍ରାକ୍ଟରମାନଙ୍କୁ ନିଯୁକ୍ତି ଦିଆଯାଉ । ଆର୍ପିଡିଏସି ବୈଠକରେ ସ୍ଥାନୀୟ ନେତୃବୃନ୍ଦ ଓ ଜମିହରା ପ୍ରଜାଙ୍କୁ ସାମିଲ୍ କରାଯାଉ । ଏହିସବୁ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ କମ୍ପାନୀ ତା’ର ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ତଥା ଆନୁସଙ୍ଗିକ ପ୍ରକଳ୍ପ ଜନିତ କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ବେଳେ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିନିଧ ସତ୍ୟାନନ୍ଦ ପାତ୍ର, ସାଂସଦଙ୍କ ପ୍ରତିନିଧ ରୁଦ୍ରନାରାୟଣ ତ୍ରିପାଠୀ, ତାଳବରକୋଟ ସରଫଚଙ୍କ ପ୍ରତିନିଧ ଦେବାଶିଷ ଜେନାଙ୍କ ସମେତ ପଂଚାୟତର ବିଶ୍ୱପ୍ରିୟା ପଟ୍ଟନାୟକ, ଅଜୟ କୁମାର ପଟ୍ଟନାୟକ, ଦୀନକୃଷ୍ଣ ଧଳ ସାମନ୍ତ, କୈଳାସ ଚନ୍ଦ୍ର ନାୟକ, ମଧୁସୂଦନ ଜେନା, ସୁଧାକର ରାଉତ, ବ୍ରହ୍ମାନନ୍ଦ ରାଉତ, ଦୈତାରୀ ସାହୁ, ତ୍ରିଲୋଚନ ରାଉତ, ସନ୍ତୋଷ କୁମାର ରାଜ, ପଂଚାନନ ରାଜ, ମଙ୍ଗୁଳୀ ରାଉତ, ଅମରେଶ୍ ଜେନାଙ୍କ ସହିତ ଶତାଧୂକ ଗ୍ରାମବାସୀ ଉପସ୍ଥିତ ଥିଲେ।



