ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ଉତ୍ପାଦନ ଓ ଶିଳ୍ପ ବିକାଶକୁ ଦୃଷ୍ଟିରେ ରଖି ୧୨ଟି ଖଣିଜ ବ୍ଲକ୍ର ନିଲାମ ହୋଇଛି। ନିଲାମରେ ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ନୂଆପଡ଼ା ଜିଲାର ଖଣିଜ ବ୍ଲକ୍ଗୁଡ଼ିକ ସାମିଲ ହୋଇଥିଲା। ଏଥିରେ ବିଶେଷକରି ଲୌହ, ବକ୍ସାଇଟ୍, ମାଙ୍ଗାନିଜ୍, ଚୂନପଥର ଓ ମିଶ୍ରିତ ଧାତୁ ଖଣି ରହିଥିଲା। ରାଜ୍ୟର ୧୨ଟି ଖଣିଜ ବ୍ଲକ ପାଇଁ ହୋଇଥିବା ନିଲାମ ପ୍ରକ୍ରିୟାରେ ମୋଟ ୧୪୨ଟି ବିଡ୍ ଦାଖଲ ହୋଇଛି।
ତଥ୍ୟାନୁସାରେ, ସୁନ୍ଦରଗଡ଼ ଜିଲାର ଆଲଘାଟ୍ ପଶ୍ଚିମ ଲୌହଖଣି ବ୍ଲକ ପାଇଁ ସର୍ବାଧିକ ୨୨ଟି ବିଡ୍ ଆସିଛି। ଏହି ବ୍ଲକ୍ରେ ୧୩୩.୪୦ ମିଲିୟନ୍ ଟନ୍ରୁ ଅଧିକ ସମ୍ଭାବ୍ୟ ଖଣିଜ ସମ୍ପଦ ରହିଛି। ଯେଉଁଥିରେ ୫୯.୦୪% ଲୌହ ଥିବା ଦର୍ଶାଯାଇଛି। ଏହି ଖଣି ପାଇଁ ଜିନ୍ଦଲ୍ ଷ୍ଟିଲ୍ ଲିମିଟେଡ୍, ରୁଙ୍ଗଟା ସନ୍ସ୍ ପ୍ରାଇଭେଟ୍ ଲିମିଟେଡ୍, ଟାଟା ଷ୍ଟିଲ୍, ଜେଏସଡବ୍ଲ୍ୟୁ ଷ୍ଟିଲ୍, ଆର୍ସେଲର ମିତ୍ତଲ-ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ, ବେଦାନ୍ତ ଓ ଏସାର୍ ମିନମେଟ୍ ଭଳି ବୃହତ୍ କମ୍ପାନୀ ବିଡ୍ ଦାଖଲ କରିଛନ୍ତି। ୫୭.୮୭% ଲୌହ ଥିବା କେନ୍ଦୁଝର ଜିଲାର ରେଙ୍ଗାଲାବେର୍ହା ଉତ୍ତର-ପୂର୍ବ ଏକ୍ସଟେନସନ୍ ଓ ନୂଆଗାଁ ପଶ୍ଚିମ ଲୌହଖଣିରେ ୩୭.୯୫ ମିଲିୟନ୍ ଟନ୍ ସମ୍ପଦ ରହିଛି। ଏହି ଖଣିଜ ବ୍ଲକ ପାଇଁ ୧୯ଟି ବିଡ୍ ଆସିଛି। ୫୦.୫୩୨ ମିଲିୟନ ଟନ୍ ସମ୍ପଦ ମହଜୁଦ ଥିବା ଠାକୁରାଣୀ-ଏ୧ ଲୌହଖଣି ବ୍ଲକ୍ ପାଇଁ ମଧ୍ୟ ୧୯ଟି ବିଡ୍ ଜମା ହୋଇଛି। କୋରାପୁଟ ଜିଲାର ତରହପାଣି (ପଶ୍ଚିମ) ଓ କର୍ଣ୍ଣପୋଡ଼ିକୋଣ୍ଡା ବକ୍ସାଇଟ୍ ବ୍ଲକ୍ ପାଇଁ ହିଣ୍ଡାଲକୋ, ବେଦାନ୍ତ ଓ ନାଲକୋ ଭଳି କମ୍ପାନୀମାନେ ବିଡ୍ ଦାଖଲ କରିଛନ୍ତି। କୋରାପୁଟ ଜିଲା କୁଟିଙ୍ଗା, ସୁନ୍ଦରଗଡ଼ ଜିଲା ପାଟମୁଣ୍ଡା-ଏ ଓ କେନ୍ଦୁଝର ଜିଲାର ଜାଜଙ୍ଗ-ଏ ମାଙ୍ଗାନିଜ୍ ବ୍ଲକ୍ଗୁଡ଼ିକ ପାଇଁ ବହୁ ସ୍ପଞ୍ଜ ଆଇରନ୍ ଉତ୍ପାଦକ ବିଡ୍ ଦାଖଲ କରିଛନ୍ତି। ସେହିଭଳି ବଲାଙ୍ଗିର ଜିଲାର ତେଲିପଦର-ଲୁକାପଦା-ପିପଲମୁଣ୍ଡା ଚୂନପଥର ବ୍ଲକ ଏବଂ ସୁନ୍ଦରଗଡ଼ର ଟୁନମୁରା ଚୂନପଥର ଓ ଡୋଲୋମାଇଟ୍ ବ୍ଲକ୍ ପାଇଁ ସିମେଣ୍ଟ ନିର୍ମାତାଙ୍କ ସହ ବହୁ କମ୍ପାନୀ ଆଗ୍ରହ ଦେଖାଇଛନ୍ତି।
ଅପରପକ୍ଷେ ନୂଆପଡ଼ା ଜିଲାର ଗାରାମୁରା ଚୂନପଥର (ଲାଇମଷ୍ଟୋନ୍) ବ୍ଲକ୍ ପାଇଁ ଗୋଟିଏ ବି ବିଡ୍ ଦାଖଲ ହୋଇନାହିଁ।



