ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ ଦଳ ପକ୍ଷରୁ ବିଜେଡି ଉପସଭାପତି ପ୍ରତାପ ଜେନା ଶନିବାର ସୂଚନା ଦେଇଛନ୍ତି। ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ପ୍ରବଳ ହଙ୍ଗାମା କରିଥିଲେ ପ୍ରଭାତ।
ପ୍ରଭାତଙ୍କ ସହ ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ସଂତୃପ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ହଙ୍ଗାମା କରିଛନ୍ତି।
ଅସନ୍ତୋଷ କରି ପ୍ରଭାତ କହିଥିଲେ ଯେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିଥିଲେ ଭଲ ହୋଇଥାନ୍ତା। ଏହା ଏକପାଖିଆ ନିଷ୍ପତ୍ତି, ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି। ଦଳର ୪ ହଜାର କୋଟି କିଏ ନେଇଗଲା କହି ବର୍ଷିଥିଲେ ପ୍ରଭାତ। ଆହୁରି ମଧ୍ୟ କହିଥିଲେ ଯେ, ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ବୀକାର କରିଛି। ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ନବୀନ ବାବୁ ଆଲୋଚନା କରନ୍ତୁ। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି ବୋଲି ପ୍ରଭାତ କହିଥିଲେ।



