ବାଲିଯୋରନ୍ଦା ଗ୍ରାମରେ ଦୋଳଯାତ୍ରା

ଢେଙ୍କାନାଳ : ଗଁଦିଆ ବ୍ଲକ ବାଲିଯୋରନ୍ଦା ଗ୍ରାମରେ ଗୁରୁବାର ଦିନ ଦୋଳମେଲଣ ଅନୁଷ୍ଠିତ ହୋଇଯାଇଛି। ଏହି ମେଲଣରେ ପାଞ୍ଚ ମଣ୍ଡଳୀ ଅର୍ଥାତ ପାଞ୍ଚୋଟି ଗ୍ରାମ ବାଲିଯୋରନ୍ଦା, ଆମ୍ବପଡା, ମକୁନ୍ଦପୁର, ବଲ୍ଲଭ ଓ ଗୋପାଳପୁରର ପ୍ରଭୁ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ସନ୍ଧ୍ୟା ସମୟରେ ବିମାନରେ ବସି ଲଉଡ଼ି ବାଡ଼ି, ମହିଳା କୀର୍ତ୍ତନ ଓ ଅନ୍ୟ ବାଦ୍ୟର ସହିତ ଗ୍ରାମ ପରିକ୍ରମା କରିଥିଲେ। ପ୍ରାୟ ସାତ ଦଶନ୍ଧିରୁ ଏହି ପରମ୍ପରା ଚାଲିଆସିଛି। ପୂର୍ବପୁରୁଷରୁ ବାଲିଯୋରନ୍ଦା, ବଜୁରିଆ, ରାଏପୁରା ଓ ବ୍ରହ୍ମପୁରା ଗ୍ରାମର ଅଧିବାସୀମାନେ ଏକାଠି ହୋଇ ଏହି ଉତ୍ସବ କରିଆସୁଛନ୍ତି। ଏଠାରେ କୌଣସି ଜାତୀଧର୍ମର ଭେଦଭାବ ନଥାଏ। ପରେ ରାତ୍ରିବେଳା ବିଭିନ୍ନ ଗ୍ରାମର କୀର୍ତ୍ତନିଆ ଓ ଗ୍ରାମବାସୀମାନେ ନିଜ ନିଜ ବନ୍ଧୁ ପରିଜନ ମାନଙ୍କ ସହିତ ଅପେରା ଦ୍ୱାରା ପରିବେଷିତ ସାମାଜିକ ନାଟକର ମଜ୍ଜା ନେଇଥିଲେ। ପରଦିନ ଶୁକ୍ରବାର ସକାଳେ ପାଞ୍ଚ ମଣ୍ଡଳୀର ଏକ କୀର୍ତ୍ତନ ବୈଠକରେ ଯୋଉତୀଶ ଆସନ୍ତା ବର୍ଷର ପାଞ୍ଜିରୁ ପାଳକ ସମ୍ପର୍କରେ ପରିପ୍ରକାଶ କରିବା ପରେ ରାଧାକୃଷ୍ଣ ଚତୁର୍ଦ୍ଧା ମୂର୍ତ୍ତି ଗ୍ରାମ ପରିକ୍ରମା କରି ଘରେ ଘରେ କ୍ଷୀର ଲବଣି ସେବନ କରିବା ସହିତ ନିଜ ଗ୍ରାମକୁ ଫେରିଥିଲେ। ଏହି ଦୋଳ ମେଲଣରେ ଗ୍ରାମ ସଭାପତି ଚୈତନ୍ୟ ମହାନ୍ତି, ଉପସଭାପତି ବନମାଳୀ ପାଣିଗ୍ରାହୀ, ଉପଦେଷ୍ଟା ରବିନାରାୟଣ ପରିଡ଼ା, ଅଚ୍ୟୁତାନନ୍ଦ ମହାନ୍ତି ଓ ପଙ୍କଜ ନାୟକ, ସମ୍ପାଦକ ଅଜିତ ସ୍ୱାଇଁ, କମିଟି ସଭ୍ୟ କୁନା ପରିଡ଼ା, ସୁଶାନ୍ତ ସାହୁ, ତୁଷାର ନାୟକ, ରଞ୍ଜନ ପଧାନ, ଗିରିଶ ପଧାନ, ମହେନ୍ଦ୍ର ବରାଳ, ସିକୁନ ବାରିକ, ଯୋଗିନାଥ ମଲିକ, ପ୍ରଭାକର ଦେହୁରୀ, ସନାତନ ବେହେରା, ସମୀର ଦେହୁରୀ, ସୌମ୍ୟରଞ୍ଜନ ନାୟକ, ନନ୍ଦ ପଧାନ ପ୍ରମୁଖ ପରିଚାଳନା କରିଥିଲେ।



