ମା ହିଙ୍ଗୁଳା ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ
ତାଳଚେର, ୦୭/୦୩ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସମୀର କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ବୈଠକ ଆରମ୍ଭରେ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଜେନା ତାଳଚେର ରାଜା ସାହେବ ଭିଜୟେନ୍ଦ୍ର ଚନ୍ଦ୍ର ଦେବ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ପୂର୍ବତନ ସାଂସଦ ମହେଶ ସାହୁ, ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଭରତ ଚନ୍ଦ୍ର ସାହୁ, ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଶାନ୍ତ କୁମାର ବରାଳ, ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀ, ଖାଉଟି ସୁରକ୍ଷା ଅଧିକାରୀ ଲିପସାରାଣୀ ରାଉତଙ୍କ ସମେତ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ଏମ୍ସିଏଲ୍ର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ । ଚଳିତ ବର୍ଷ ମା’ଙ୍କ ବାର୍ଷିକ ଯାତ୍ରା ଚଳିତ ମାର୍ଚ୍ଚ ମାସ ୩୧ ତାରିଖ ଠାରୁ ଆରମ୍ଭ ହୋଇ ଅପ୍ରେଲ ମାସ ୮ ତାରିଖରେ ଶେଷ ହେବ ବୋଲି ସ୍ଥିର କରାଯାଇଛି । ଫେବୃୟାରୀ ମାସ ୧୩ ତାରିଖରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ହୋଇଥିବା ବିଭିନ୍ନ ନିଷ୍ପତିର କାର୍ଯ୍ୟକାରିତା ସମ୍ବଦ୍ଧରେ ଉପଜିଲ୍ଲାପାଳ ଶ୍ରୀ ଜେନା ତର୍ଜମା କରିଥିଲେ । ଏମ୍ସିଏଲ୍ର ବିଭିନ୍ନ କ୍ଷେତ୍ରକୁ ପ୍ରତିବର୍ଷ ପରି ଚଳିତ ବର୍ଷ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟସମୂହର ଅଗ୍ରଗତି ସମ୍ବଦ୍ଧରେ ଅବଗତି ହେବା ସହ ଯାତ୍ରା ଆରମ୍ଭର ଗୋଟିଏ ସପ୍ତାହ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ଏମ୍ସିଏଲ୍ର ସମସ୍ତ କ୍ଷେତ୍ରର ମହାପ୍ରବନ୍ଧକମାନେ ମଧ୍ୟ ସମସ୍ତ କାର୍ଯ୍ୟ ଯାତ୍ରା ପୂର୍ବରୁ ସମାପନ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଚଳିତବର୍ଷ ମା ହିଙ୍ଗୁଳାଙ୍କ ଯାତ୍ରାସ୍ଥଳୀରେ ପଲିଥିନ୍ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ସୂଚନା ଦେଇଥିଲେ । ଯେଉଁମାନେ ଯାତ୍ରାସ୍ଥଳୀରେ ପଲିଥିନ୍ ବ୍ୟବହାର କରିବେ, ସେମାନଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ନଅ ଦିନ ବ୍ୟାପୀ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଷ୍ଠିତ କଳାକାରମାନେ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ନୃତ୍ୟ ଓ ଭଜନ ପରିବେଷଣ କରିବେ ବୋଲି ନିଷ୍ପତି ହୋଇଥିଲା । ସ୍ଥାନୀୟ କଳାକାରମାନଙ୍କୁ ମଧ୍ୟ ଏହି ମଞ୍ଚରେ ନୃତ୍ୟ ପରିବେଷଣ କରିବାର ସୁଯୋଗ ଦିଆଯିବ ବୋଲି ସ୍ଥିର କରାଯାଇଥିଲା । ନିଷ୍ପତି ଅନୁଯାୟୀ ୨୨ତମ ହିଙ୍ଗୁଳା ଲୋକ ମହୋତ୍ସବ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃତ୍ୟ ପ୍ରତିଭା ଚୟନ ହେବାକୁ ସ୍ଥିର କରାଯାଇଥିଲା । ଏଥିରେ ମନୋନୀତ ନୃତ୍ୟ ପ୍ରତିଭା କଳାକାରମାନେ ହିଙ୍ଗୁଳା ମଂଚରେ ନୃତ୍ୟ ପରିବେଷଣ କରିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ଏହାସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବାର୍ଷିକ ମୁଖପତ୍ର ଅଗ୍ନିସ୍ନାତା ଉନ୍ମୋଚିତ ହେବ ବୋଲି ସ୍ଥିର କରାଯାଇଥିଲା । ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ନବ କଳେବର ତଥା ପାଟବରୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ରାଜଗୁରୁ ପଙ୍କଜ ଲୋଚନ ପତି ଓ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ପାଞ୍ଜି ଗଣନା କରି ଉପସ୍ଥିତ ସମସ୍ତ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କୁ ଅବଗତ କରାଇଥିଲେ । ବିଧି ମୁତାବକ ହିଙ୍ଗୁଳାଙ୍କ ଯାତ୍ରା ଦିନ ସକାଳ ୮ଟା ୦୬ ମିନିଟରୁ ମାଧ୍ୟାହ୍ନ ୧୨ଟା ୧୪ ମିନିଟ୍ ମଧ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତାଳଚେର ରାଜା ଭିଜେୟନ୍ଦ୍ର ଚନ୍ଦ୍ର ଦେବ ସପରିବାର ଉପସ୍ଥିତ ରହିବା ସହ ମା ହିଙ୍ଗୁଳାଙ୍କ ନୂତନ ଆଲମ ପ୍ରତିଷ୍ଠା ଓ ଜୀବନ୍ୟାସ, ଦାରୁ ପ୍ରତିଷ୍ଠା ଓ ଜୀବନ୍ୟାସ ତଥା ମା ଙ୍କ ପ୍ରତିମାସ୍ୱରୂପ ଶିଳା ପ୍ରତିଷ୍ଠା ଓ ଜୀବନ୍ୟାସ କାର୍ଯ୍ୟକ୍ରମ କରାଯିବ ବୋଲି ରାଜଗୁରୁ ପଙ୍କଜ ଲୋଚନ ପତି ସୂଚନା ଦେଇଥିଲେ । ଏହି ବୈଠକରେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଜଗନ୍ ମୋହନ ଗଡ଼ନାୟକ, ମୁରଲୀଧର ସାହୁ, ରାଜେନ୍ଦ୍ର କୁମାର ସିଂହ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ପ୍ରତାପ ସାମଲ, ଗଗନ ବିହାରୀ ସାହୁ, ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରା, ଏମ୍ସିଏଲ୍ ଭୁବନେଶ୍ୱରୀ କ୍ଷେତ୍ର ମହାପ୍ରବନ୍ଧକ ଅଜୟ କୁମାର ସିଂହ, ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଏସ୍.ଭି.ଯୋଶୀ, ଭରତପୁର କ୍ଷେତ୍ର ମହାପ୍ରବନ୍ଧକ ଦିବ୍ୟଜୀବନ ସି, ତାଳଚେର କ୍ଷେତ୍ର ମହାପ୍ରବନ୍ଧକ କେ.ବି.ଚୌଧୁରୀ, ହିଙ୍ଗୁଳା କୋଇଲା ଖଣି ପ୍ରକଳ୍ପ ଅଧିକାରୀ ପଦ୍ମନାଭ ସ୍ୱାଇଁଙ୍କ ସମେତ ଉପଖଣ୍ଡ ପ୍ରଶାସନ, ପୁଲିସ ପ୍ରଶାସନ, ଅଗ୍ନିଶମ ଅଧିକାରୀ, ଏମ୍ସିଏଲ୍ର ସମସ୍ତ ପଦାଧିକାରୀ, ତାଳଚେର କୋଇଲା ଖଣିରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଂଗଠନର ପଦାଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ବିଭିନ୍ନ ସବ୍ କମିଟର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଳଚେର ଉପଜିଲ୍ଲାପାଳ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।



