ବଡ଼ବିଲ ପୌରାଞ୍ଚଳରେ ଶ୍ରୀରାମ ନବମୀ ବହୁ ଆଡ଼ମ୍ବର ସହକାରେ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଶ୍ରୀରାମ ନବମୀ କୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବିଗତ ଦୁଇଦିନ ଧରି ବଡ଼ବିଲ ପୌରାଞ୍ଚଳରେ ଥିବା ବିଭିନ୍ନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହରିନାମ କୀର୍ତ୍ତନ ଚାଲୁ ରହିଥିବା ବେଳେ ଆଜି ପୂଜାପାଠ ହୋମଯଜ୍ଞ କରାଯାଉଥିବା ଦେଖିବାକୁ ମିଳିଥିଲା ଏବଂବଡ଼ବିଲ ଅଞ୍ଚଳ ରେ ଥିବା ସମସ୍ତ ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ବଡ଼ବିଲ ପୌରାଞ୍ଚଳରେ ଥିବା ସମସ୍ତ ଷୋହଳଟି ହନୁମାନ ଆଖଡ଼ା ପକ୍ଷରୁ ମଧ୍ୟ ଏହି ଦିନକୁ ନେଇ ବେସ୍ ପୂର୍ବପ୍ରସ୍ତୁତି କରାଯାଇଥିବା ବେଳେ ଆଜି ସବୁଆଖଡ଼ାର କର୍ମକର୍ତ୍ତା ଓ କୁନିକୁନି ପିଲାମାନେ ରାମସୀତା,ହନୁମାନ ଓ ଦେବାଧିଦେବ ମହାଦେବଙ୍କ ଭିନ୍ନଭିନ୍ନ ରୂପରେ ସୁସଜ୍ଜିତ ହୋଇ ବଡ଼ବିଲ ମୁଖ୍ୟ ବଜାରସ୍ଥିତ ହନୁମାନଙ୍କ ମନ୍ଦିରର ପ୍ରାଙ୍ଗଣରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିବା ପରେ ବାଦ୍ୟର ତାଳେ ତାଳେ ସମଗ୍ର ବଡ଼ବିଲ ପରିକ୍ରମାରେ ବାହାରି ବିନ୍ନ ଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସମଗ୍ର ବଡ଼ବିଲ ଅଞ୍ଚଳରେ ଏକ ପ୍ରକାରର ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଜୟ ଶ୍ରୀ ରାମ ଜୟ ହନୁମାନ ହରହର ମହାଦେବ ଧ୍ବନିରେ ସମଗ୍ର ବଡ଼ବିଲ ସହର ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରାରେ ବାହାରିଥିବା ଶ୍ରୀରାମଙ୍କ ଭକ୍ତଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଜଳ ସର୍ବତ ଖିଚିଡି ଭୋଗ ଇତ୍ୟାଦି ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀରାମ ନବମୀ ଶୋଭାଯାତ୍ରାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଅଞ୍ଚଳ ବାସିନ୍ଦା ମାନେ ଉପସ୍ଥିତ ଥିଲେ।କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ଛକ ବଜାର ଓ ଜନଗହଳି ପୁର୍ଣ୍ଣ ଅଞ୍ଚଳ ଓ ବିଭିନ୍ନ ମନ୍ଦିରର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସିସିଟିଭି କ୍ୟାମେରା ମାଧ୍ୟମରେ କଡ଼ା ନଜର ରଖିଥିବା ଦେଖିବାକୁ ମିଳିଥିଲା ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



