ଭୁବନେଶ୍ୱର: ଓଡ଼ିଶା ସରକାର ପୁଣି ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ହୀତାଧିକାରୀଙ୍କୁ ଏଣିକି ମୁଣ୍ଡପିଛା ୫ କେଜି ଚାଉଳ ଅଧିକ ମିଳିବ।
ସେଥିପାଇଁ ରାଜ୍ୟ ରାଜକୋଷରୁ ମାସିକ ବ୍ୟୟ ହେବ ୭୩୪ କୋଟି ଟଙ୍କା। ଏନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ ବୈଠକ ତାହା ଘୋଷଣା କରିଛନ୍ତି।
ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପ୍ରାୟ ସଂନ୍ଧ୍ୟା ଛଅଟାରୁ ରାତ୍ରୀ ୧୧ଟା ଯାଏ ଚାଲିଥିଲା। ଏଥିରେ ମୋଟ୍ ୧୩ଟି ବିଭାଗର ୧୬ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ତନ୍ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଳସମ୍ପଦ, ଶିଳ୍ପ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ବିଭାଗରେ ପ୍ରସ୍ତାବ ଅନ୍ତର୍ଭୁକ୍ତ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟରେ ଖାଉଟୀଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ (ଏନଏଫ୍ଏସ୍ଏ) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (ଏସ୍ଏଫ୍ଏସ୍ଏସ୍) ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି। ଏହି ଯୋଜନା ମାଧ୍ୟମରେ, ରାଜ୍ୟର ଟାରଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧିନସ୍ଥ ସମସ୍ତ ହିତାଧିକାରୀ ପରିବାର ପାଇଁ, ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ, ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ବଣ୍ଟନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭ ଲକ୍ଷ ୯୭ ହଜାର ୫୭୨ ପରିବାରର ୩ କୋଟି ୨୨ ଲକ୍ଷ ୮୯ ହଜାର ୬୯୨ ସଦସ୍ୟ ଉପକୃତ ହେଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨ ଲକ୍ଷ ୯୮ ହଜାର ୭୨୫ ପରିବାରର ୫ ଲକ୍ଷ ୬୨ ହଜାର ୭୩୭ ସଦସ୍ୟ ଉପକୃତ ହେଉଛନ୍ତି। ଉଭୟ ଯୋଜନାରେ ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଉପକୃତ ହେଉଛନ୍ତି । ଏହି ସମସ୍ତ ହିତାଧିକାରୀ ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ସୁବିଧା ପାଇବେ। ଏ ସମ୍ବନ୍ଧୀୟ ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ ହିସାବରେ ବାର୍ଷିକ ହାରାହାରି ୧୯.୭୧ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟର ଟାରଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧିନସ୍ଥ ହିତାଧିକାରୀମାନଙ୍କୁ, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (ଏମଏପିୱାଇ)’ ମାଧ୍ୟମରେ ଦେୟମୁକ୍ତ ଚାଉଳ ବଣ୍ଟନ କରାଯିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବାବଦରେ ଆକଳନ କରାଯାଇଥିବା ମାସିକ ଖର୍ଚ୍ଚ ହାରାହାରି ୭୩୪ କୋଟି ଟଙ୍କା ହାରରେ, ବାର୍ଷିକ ବ୍ୟୟ ବରାଦ ୮,୮୧୩ କୋଟି ଟଙ୍କା ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ କରାଯିବାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସୁଦୃଢ଼ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ଭୋଧନ କରିଲାବେଳେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)


