କଟକ – ଅବକାରୀ ବିଭାଗ କଟକ ସଦର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢଉ କରି ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହିତ ୩୧ କିଲୋ ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । କଟକ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ବିଶେଷ ସୂତ୍ରରୁ ଖବର ପାଇ, ସଦର ଥାନା ଅନ୍ତର୍ଗତ କାଜିପାଟଣା ନିକଟ କୁଆଖାଇ ବ୍ରିଜ ନିକଟରେ ଛକି ରହିଥିଲା ।
ଏକ ମାରୁତି ଏର୍ଟିଗା କାରରେ ଗଞ୍ଜେଇ ନେଇ ଦୁଇ ଜଣ ନିଶା ବେପାରୀ ଆସିବା ପରେ ତାକୁ ଅଟକାଇ ଯାଞ୍ଚ କରିବାରୁ ୧୫ କିଲୋ ଗଞ୍ଜେଇ ମିଳିଥିଲା । ଏହି ଅଭିଯୋଗରେ କାରରେ ଥିବା କନ୍ଧମାଳ ଖଜୁରିପଡା ମକାନି ସାହିର ନରେଶ ଗଣ୍ଡକୁ ଗିରଫ କରିଥିଲା । ସେହିପରି କଟକ ଅବକାରୀ ଗ୍ରାମାଞ୍ଚଳ ଥାନାକୁ ମିଳିଥିବା ସୂଚନା ଅନୁସାରେ, ଏକ ଟିମ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଛକ ପାଖରେ ଛକି ରହିଥିଲା । ସନ୍ଦିଗ୍ଧ ସ୍ୱିଫ୍ଟ ଡିଜାୟାର କାର ଆସିବାମାତ୍ରେ ତାକୁ ଅଟକାଇ ଯାଞ୍ଚ କରିବାରୁ ୧୬ କିଲୋ ଗଞ୍ଜେଇ ମିଳିଥିଲା । ଏଥିରେ ଥିବା ମିଥୁନ ବେହେରା ଓ ସୁକାନ୍ତ ମହାନ୍ତିଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ସହିତ କାର ମଧ୍ୟ ଜବତ ହୋଇଛି ।



