ପାରମ୍ପାରିକ ମା’ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା ସମାପନ
୧୩ଦିନ ବ୍ୟାପୀ ବ୍ରତାଧାରୀ ମନ୍ଦିର ଓ ଦଣ୍ଡଯାତ୍ରାରୁ ଘର ବାହୁଡ଼ା
ତାଳଚେର, ୧୫/୦୪ କେଉଁ ଆବାହମାନ କାଳରୁ ତାଳଚେର ସହର ନିକଟରେ ବୋହି ଯାଉଥିବା ଚିରୋସ୍ରୋତା ବ୍ରାହ୍ମଣୀନଦୀ କୂଳରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ଅବସ୍ଥିତ । କେଳବ ଦଣ୍ଡଯାତ୍ରା କାହିଁକି ମା’ଙ୍କୁ ଦର୍ଶନ କରିବା ଲାଗି ପ୍ରତ୍ୟେକ ଦିନ ମନ୍ଦିରକୁ ଭକ୍ତଙ୍କ ସୂଅ ଛୁଟେ । ‘ଯାହା ଦେବୀ ସର୍ବେଭୂତେଷୁ ଶକ୍ତିରୂପେଣା ସଂସ୍ଥିତା, ନମସ୍ତେ ସ୍ୱେହିଃ, ନମସ୍ତେ ସ୍ୱେହିଃ, ନମସ୍ତେ ସ୍ୱେହିଃ, ନମଃ ନମଃ’ । ୧୩ଦିନ ବ୍ୟାପି ପାରମ୍ପାରିକ ରୀତିନୀତି ଅନୁଯାୟୀ ମା’ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା ସମାପନ ହୋଇଛି । ବର୍ଷକୁ ଥରେ ବ୍ରତାଧାରୀମାନେ ଦଣ୍ଡଯାତ୍ରା ପ୍ରାରମ୍ଭରୁ ଘରୁ ବାହାରି ମା’ଙ୍କ ମନ୍ଦିର ଓ ବିଭିନ୍ନ ଗାଁଗଣ୍ଡାରେ ଦଣ୍ଡଯାତ୍ରା କରିବା ଏବଂ ଭକ୍ତଙ୍କ ଗହଣରେ ମନ୍ଦିର ଛାଡ଼ି ମା’ବାହାରେ ବୁଲିବାର ସୁଯୋଗ ପାଇଥାନ୍ତି । ତେଣୁ ଏହି ୧୩ଦିନ ମା’ଙ୍କର ଏକ ମହତ୍ୱକାଂକ୍ଷା ଗ୍ରହଣ କରିଥାଏ । ଏହି ୧୩ ଦିନ ପର୍ଯ୍ୟନ୍ତ କଠିନ ବ୍ରତପାଳନ କରୁଥିବା ଭକ୍ତମାନେ କେବଳ ଦିନକୁ ପ୍ରାୟ ଥରେ ଅନ୍ନ ସେବନ କରିଥାନ୍ତି ଏବଂ ଆଖାପାଖ ଅଂଚଳରେ ଯେଉଁ ମାନସିକଧାରୀ ଦଣ୍ଡଯାତ୍ରା କରିବା ନିମନ୍ତେ ମା’ଦକ୍ଷିଣକାଳୀଙ୍କୁ ଆମନ୍ତ୍ରୀତ କରିଥାନ୍ତି, ତାଙ୍କ ଘର ସମ୍ମୁଖରେ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଥାଏ । ଆମନ୍ତ୍ରୀତ କରିଥିବା ପରିବାର ଓ ବନ୍ଧୁବାନ୍ଧବମାନେ ମା’ଙ୍କ ଆଶିର୍ବାଦ ଭିକ୍ଷାଗ୍ରହଣ କରିବା ସହ ରାତ୍ରୀ ସମୟରେ ଦଣ୍ଡଯାତ୍ରାର ଆୟୋଜନ ମଧ୍ୟ କରିଥାନ୍ତି । ଦିନବେଳା ପାଣିଦଣ୍ଡ ଭାଙ୍ଗିବା ପରେ ସେମାନେ ମା’ଙ୍କୁ ନେଇ ସ୍ନାନ କରିବାକୁ ଚାଲିଯାଇଥାନ୍ତି । ସ୍ନାନ କରାଯାଉଥିବା ନଦୀ କିମ୍ବା ହ୍ରଦ ନିକଟରେ ବାଲୁକାପୂଜା ସ୍ଥାପନ ସହ ଭକ୍ତମାନେ ଖଇ, ଲିଆ, ଗୁଡ଼, ଦହି, କଦଳି ଇତ୍ୟାଦି ସେବନ କରି କୌଣସି ଏକ ନିକାଚଂନ ସ୍ଥାନରେ ବିଶ୍ରାମ ନେଇଥାନ୍ତି ଏବଂ ରାତ୍ରୀ ସମୟରେ ମା’ଙ୍କ ଦଣ୍ଡଯାତ୍ରା ପ୍ରାରମ୍ଭ କରାଯାଇଥାଏ । ସାଧାରଣତଃ ଦଣ୍ଡନୃତ୍ୟରେ ବିଭନ୍ନ ପୌରାଣିକ ଧାରାବାହିକ ଯଥା, ଲକ୍ଷ୍ମୀପୁରାଣ, ନାଭକେଳୀ, ଭୂତକେଳୀ, ଛଦ୍ମବେଶ ଓ ଏମିତି କି, ବିଭିନ୍ନ ପୌରାଣିକ ଗାଥା ମାଧ୍ୟମରେ ଦଣ୍ଡନୃତ୍ୟ ଦଣ୍ଡୁଆମାନେ ପରିବେଷଣ କରିଥାନ୍ତି ଯାହାକି ଲୋକଙ୍କ ମନକୁ ତାଙ୍କର ଏହି କଳାପ୍ରଦର୍ଶନ ବେଶ ଆନନ୍ଦିତ କରିଥାଏ । ତାଳଚେର ସହର ଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ବେଶ ଚର୍ଚ୍ଚିତ ଏହି ଦଣ୍ଡଯାତ୍ରା । ଦଣ୍ଡୁଆମାନେ ଗାଁଗଣ୍ଡା, ସାହି, ଗଳିକନ୍ଦି ଇତ୍ୟାଦି ସ୍ଥାନ ଗୁଡ଼ିକରେ ନିଜର କଳାପ୍ରଦର୍ଶନ କରିଥାନ୍ତି । ଦଣ୍ଡଯାତ୍ରାର ଅନ୍ତିମ ଦିବସ ଅର୍ଥାତ୍ ମା’ଙ୍କ ‘ମେରୁଯାତ୍ରା’ ହୁଏ । ଏହି ମେରୁଯାତ୍ରାରେ ଦିନ ତମାମ ମା’ଙ୍କ ପୂଜା ଚାଲିଥାଏ, ପୂର୍ବ ପ୍ରଥା ଅନୁଯାୟୀ ଚେଲା, ଚାମୁଣ୍ଡା ଇତ୍ୟାଦିଙ୍କ ଉଦ୍ଦେଶ୍ୟରେ ବଳୀ ଦେବାର ବିଧି ମଧ୍ୟ ରହିଛି । ମେରୁଯାତ୍ରାର ସନ୍ଧ୍ୟା ସମୟରେ ନିଆଁରେ ଝୋଲିବା, କଂଟା ଦୋଳିରେ ବସିବା, ବିଭିନ୍ନ ପ୍ରଥା ସମାପନ ପରେ ଭକ୍ତମାନେ ଦଣ୍ଡଯାତ୍ରା ସାରି ଘର ବାହୁଡ଼ା ହୋଇଥାନ୍ତି । ଏହି ମେରୁଯାତ୍ରା ଦେଖିବାକୁ ମଧ୍ୟ ଆଖାପାଖ ଅଂଚଳରୁ ହଜାର ହଜାର ଭକ୍ତଙ୍କ ସମେତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ ।



