ବିବାହର ପ୍ରତିଶ୍ରୁତି ଦେଇ ବିଧବା ମହିଳାଙ୍କୁ ପ୍ରତାରଣା। ଥାନାରେ ମାମଲା

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗ୍ରାମର ଜଣେ ବିଧବା ମହିଳାଙ୍କୁ ପ୍ରତାରଣା କରିବା ଓ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଜଣେ ବିଧବା ମହିଳା ୨୧ ଙ୍କୁ ବାଦିବାହାଳ ଗ୍ରାମର ଅରବିନ୍ଦ ବେହେରା ୨୮ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଅରବିନ୍ଦକୁ ବିବାହ କରିବା ପାଇଁ କହିଥିଲେ । କିନ୍ତୁ ଅଭିଯୁକ୍ତ ଧରାଛୁଆଁ ନ ଦେବାରୁ ମହିଳା ଜଣଙ୍କ ଅରବିନ୍ଦ ଘରକୁ ଯାଇ ବିବାହ କରିବା ପାଇଁ ଅନୁରୋଧ କରିଥିଲେ । ଅରବିନ୍ଦ ର ବାପା ଜମ୍ବେଶ୍ଵର, ମାଆ ମୀନତି ଓ ଭାଇ ଦାମୋଦର ବେହେରା ଉକ୍ତ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏଥି ସହ ଜମ୍ବେଶ୍ଵର ଓ ତାଙ୍କ ଘର ଲୋକ ଆରବିନ୍ଦକୁ ଲୁଚାଇ ରଖି ବିଧବା ମହିଳାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଅରବିନ୍ଦ ମହିଳାଙ୍କ ସୁନା ଅଳଙ୍କାର ନେଇ ପଳାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କର ୧ ବର୍ଷର ପୁଅଟିଏ ଥିବା ବେଳେ ଉକ୍ତ ମହିଳା ଜଣଙ୍କ ଦେଢ଼ମାସ ର ଗର୍ଭବତୀ ଥିବା ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି l ବଅଁରପାଳ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ କେଶ ନଂ – ୩୦୯/୨୬ ମାମଲା ରୁଜୁ କରି ଏସଆଇ କାମାକ୍ଷା ପ୍ରସାଦ ନାୟକ ଘଟଣାର ତଦନ୍ତ କରୁଛନ୍ତି।



