ନିଳଗିରି: ଟ୍ରେନ୍ ଉପରେ ଖସି ପଡିଲା କ୍ରେନ୍। ଛିଣ୍ତିଗଲା ବିଦ୍ୟୁତ ତାର। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଗୋପୀନାଥପୁରସ୍ଥିତ ରେଳ ଷ୍ଟେସନରେ। ନୀଳଗିରି ଗୋପୀନାଥପୁରସ୍ଥିତ ରେଳ ଷ୍ଟେସନରେ ପାର୍ଶ୍ବରେ ଥିବା ସ୍ଲିପର କାରଖାନାରେ ସିମେଣ୍ଟ ବିମ୍ ସବୁ ଲୋଡ଼ କରାଯାଉଥିବା ସମୟରେ ଅଚାନକ ମାଲବାହୀ ଟ୍ରେନ ଉପରେ କ୍ରେନଟି ଛିଣ୍ଡି ପଡ଼ିଥିଲା।
କ୍ରେନଟି ଖସିବା ସମୟରେ ଜୋରରେ ଶବ୍ଦ ହେବା ସହ ଉପରେ ଲାଗିଥିବା ଖୁଣ୍ଟିରୁ ବିଦ୍ୟୁତ ତାର ଛିଣ୍ଡି ଟ୍ରେନ ଉପରେ ଲାଖି ଯାଇଥିଲା। ରେଳ କର୍ମଚାରୀମାନେ ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ଦେଇଥିଲେ। ସେପଟେ ଏଭଳି ପରିସ୍ଥିତି ଦେଖି ଖଡଗପୁର ଡିଭିଜନ ପକ୍ଷରୁ ବାଲେଶ୍ବର-ନୀଳଗିରି ରେଳ ଚଳାଚଳ ବନ୍ଦ କରାଯାଇଛି। କ୍ରେନକୁ କଟର ଜରିଆରେ କାଟି ଖୋଲା ଯାଉଥିବା ବେଳେ ବାଲେଶ୍ବର ଓ ଖଡ଼ଗପୁର ରେଳ ବିଭାଗର କର୍ମଚାରୀ ବିଦ୍ୟୁତ ତାର ସଜାଡ଼ୁଥିବା ଦେଖିବାକୁ ମିଳିଛି। ସୂଚନା ଯେ, ନୀଳଗିରି ଗୋପୀନାଥପୁର ରେଳ ଷ୍ଟେସନ ପାର୍ଶ୍ବରେ ଥିବା ସ୍ଲିପର କାରଖାନାରେ ରେଳ ଧାରଣାରେ ପଡୁଥିବା ସିମେଣ୍ଟ ବିମ୍ ସବୁ ତିଆରି କରାଯାଇ ଦେଶର ସବୁ ରେଳପଥକୁ ଚାଲାଣ କରାଯାଇଥାଏ।



