ସମ୍ବଲପୁର : ସମ୍ବଲପୁର ପୁଲିସର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୁଲିସ ଥାନା ଅର୍ଥନୈତିକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଅତିରିକ୍ତ ଏସପି ଡ. ଶଶାଙ୍କ ଶେଖର ବେଉରାଙ୍କ ସୁଚନା ଅନୁଯାୟୀ, ସମ୍ବଲପୁର ଜିଲା ନିବାସୀ ଶ୍ରୀମତୀ ରୋଜାଲିନ କାଣ୍ଡୁଲାନା ପୁଲିସ ଥାନାରେ ଅଭିଯୋଗ କରିଥିଲେ ଯେ ‘ଏଲଏଫ ୱାର୍କ’ ନାମକ ଏକ କମ୍ପାନୀ ୨ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅର୍ଥ ମିଳିବ ବୋଲି ମିଥ୍ୟ ପ୍ରତିଶ୍ରୁତି ଦେଇଥିଲେ।
ଏହି କମ୍ପାନୀଟି ଭାରତ ସରକାର ଓ ସେବି ଦ୍ୱାରା ପଞ୍ଜିକୃତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏଣୁ ରୋଜାଲିନଙ୍କ ସମେତ ଅନ୍ୟ ମାନେ ବିପୁଳ ମାତ୍ରାରେ ଅର୍ଥ ୟୁପିଆ ଜରିଆରେ ବିନିଯୋଗ ପାଇଁ ପଇଠ କରିଥିଲେ। କିନ୍ତୁ ସେମାନେ ଅର୍ଥ ବିନିଯୋଗର ସୁଧ ନ ପାଇବାରୁ ଆର୍ଥିକ ଠକେଇର ଶିକାର ହୋଇଥିବାର ଜାଣି ଥାନାରେ ଅଭିଯୋଗ କରିଥିଲେ। ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଗତସିଂହପୁରର ତ୍ରିଲୋଚନ ସେନାପତି (୫୪) ନାମକ ଏହି ଘଟଣାର ପ୍ରମୁଖ ଅଭିଯୁକ୍ତ ଥିବାର ଜଣାପଡ଼ିଥିଲା। ଜଗତସିଂହପୁରର ସୌମ୍ୟ ରଞ୍ଜନ ନାଏକ(୧୯) ନାମକ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୧ ଅଗଷ୍ଟ ୨୦୨୫ ରୁ ୧ ସେପ୍ଟେମ୍ବର ୨୦୨୫ ମଧ୍ୟରେ ୯ଟି ବ୍ୟାଙ୍କ ଟ୍ରାଞ୍ଜାକ୍ସନ କରାଯାଇଥବାର ଜଣାପଡ଼ିଥିଲା। ଉଭୟ ମିଳିତ ଭାବରେ ଅଧିକ ସୁଧ ଦେବା ଆଶା ଦେଇ ଆର୍ଥିକ ଠକେଇ କରିଥିବାର ତଦନ୍ତରେ ଜଣାପଡ଼ିଥିଲା। ଏଥି ସହ ବିଭିନ୍ନ ପ୍ରକାରର ପ୍ରମାଣ ଅଭିଯୁକ୍ତଙ୍କ ବିରୋଧରେ ମିଳିବାରୁ ସେମାନଙ୍କୁ ମଙ୍ଗଳବାର ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି।
ଏହି ଘଟଣାର ଅଧିକ ତଦନ୍ତ ସହିତ ପୀଡିତଙ୍କୁ ଠାବ କରିବାର ପ୍ରକ୍ରିୟା ଜାରି ରହିଛି ବୋଲି ଅତିରିକ୍ତ ଏସପି ଡ. ବେଉରା ସୁଚନା ଦେଇଛନ୍ତି।



