ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ରଜ’ ଉତ୍ସବ ପାଳିତ
ଅନୁଗୋଳ: ୧୬ ଜୁନ୍: ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା, ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୋଳ ଜିଲ୍ଲାର ବଡ଼ମହୀତଳା ସ୍ଥିତ ଜନ ଜୀବିକା କେନ୍ଦ୍ର (ଜେଜେକେ) ଏବଂ ଜାମୁନାଳି ଗାଁରେ ବେଶ ଉତ୍ସାହର ସହିତ ‘ରଜ’ ଉତ୍ସବ ପାଳିତ ହୋଇଛି । ଏହି ଉତ୍ସବ ପାଳନରେ ନତଡ଼ା ଓ ଜାମୁନାଳି ପଞ୍ଚାୟତର ପ୍ରାୟ ଏକ ହଜାର ଯୁବତୀ ଓ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ନାରୀତ୍ୱର ଭାବନା ଏବଂ ଧରଣୀ ମାତାଙ୍କ ଉର୍ବରତାର ଉତ୍ସବ ପାଳନ କରାଯାଇଥିଲା । ଏହା ସହିତ ସମାଜରେ ଏକତା, ନାରୀ ସଶକ୍ତିକରଣ ଏବଂ ସାମୁଦାୟିକ ଗୌରବବୋଧକୁ ପ୍ରୋତ୍ସାହିତ କରାଯାଇଥିଲା ।
ସମସ୍ତ ବୟସବର୍ଗର ଯୁବତୀ ଓ ମହିଳାମାନେ ପାରମ୍ପରିକ ପରିଧାନ ଓ ଆକର୍ଷଣୀୟ ଗହଣା ପିନ୍ଧି ଏହି ଉତ୍ସବ ପାଳନରେ ସାମିଲ ହୋଇଥିଲେ । ପୋଡ଼ ପିଠା ସାଙ୍ଗକୁ ରଜ ଦୋଳି ଓ ରଜ ଗୀତରେ ପୁରା ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା । ଏହି ଅବସରରେ ରଜ ପାନ ତିଆରି, ମ୍ୟୁଜିକ ଚେୟାର, ପୁଚି ଖେଳ ଏବଂ ଏକକ ନୃତ୍ୟ ଭଳି ଏକାଧିକ ସାଂସ୍କୃତିକ ଓ ମାନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁଥିରେ ସମାଜର ସବୁବର୍ଗର ଲୋକ ସକ୍ରିୟତାର ସହ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ଜିନ୍ଦଲ ମହିଳା ସମିତିର ଶ୍ରୀମତୀ ଅନିତା ମିତ୍ତଲ ଏବଂ ଶ୍ରୀମତୀ ମିନି ନାୟାର, ଜାମୁନାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଶିଳା ପ୍ରଧାନ, କୁଇଓର ସଭାପତି ଶ୍ରୀ ଧ୍ରୁବ ଚରଣ ଦେହୁରୀ, ଏଲ୍ ଆଣ୍ଡ ପିଆର ବିଭାଗର ଇଭିପି ଶ୍ରୀ ପି.କେ. ପଣ୍ଡା, ଜିନ୍ଦଲ ଷ୍ଟିଲର ସିଏସଆର ମୁଖ୍ୟ ଶ୍ରୀ ରିଷି ପଠାନିଆ, ଓଏଚସିର ପୁଷ୍ଟିସାର ବିଶେଷଜ୍ଞ ଶ୍ରୀମତୀ ସୀମା ବର୍ମା, ସୁରକ୍ଷା ବିଭାଗର ଏଜିଏମ୍, ଶ୍ରୀମତୀ ସସ୍ମିତା ରାଣୀ ଦାସ, ସ୍ୱତନ୍ତ୍ର ଅତିଥି ଶ୍ରୀମତୀ ଅନିତା ମହାନ୍ତି ଏବଂ ଜିନ୍ଦଲ ଷ୍ଟିଲର ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମାବେଶକୁ ସ୍ୱାଗତ ଜଣାଇ, ଶ୍ରୀମତୀ ଶିଳା ପ୍ରଧାନ ସ୍ଥାନୀୟ ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ ସହ ଜୀବିକାଭିତ୍ତିକ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ମହିଳାଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଜିନ୍ଦାଲ ଫାଉଣ୍ଡେସନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।
ଅନୁଗୁଳ ସିଏସଆର୍ ବିଭାଗର ମୁଖ୍ୟ ଏବଂ ମହାପ୍ରବନ୍ଧକ ଶ୍ରୀ ଜୟନ୍ତ କୁମାର ମହାନ୍ତି, ଗ୍ରାମ ପଞ୍ଚାୟତ ପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।
ଉଭୟ ଜନ ଜୀବିକା କେନ୍ଦ୍ର ଏବଂ ଜାମୁନାଳିରେ ପୁରସ୍କାର ବିତରଣ ଉତ୍ସବ ଏବଂ ସାମୂହିକ ଭୋଜନର ଆୟୋଜନ ସହ ରଜ ଉତ୍ସବ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କ ମନରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଛାଡ଼ିଯିବା ସହ ସେମାନଙ୍କ ମଧ୍ୟରେ ସାମୁଦାୟିକ ସମ୍ପର୍କ ଓ ଆତ୍ମୀୟତାର ଭାବନାକୁ ଆହୁରି ଦୃଢ଼ କରିଥିଲା।




