ଏଲ ଆଇ ୟୁନିଅନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭଟଲି :- ଗୋପାଳନ ଏମିତି ଏକ ଜୀବିକା ଯାହା ଚାଷୀର କୃଷିଜନିତ ଆକସ୍ମିକ କ୍ଷତି ଓ ନିଅଣ୍ଟିଆ ପରିସ୍ଥିତିକୁ ଭରଣା କରିବା ସହ ଅର୍ଥନୀତିକୁ ସୁଧାରିଥାଏ l ଏହା ସହ ସ୍ୱାସ୍ଥ୍ୟ ଅନୁକୂଳ ଜୈବିକ କୃଷି ପାଇଁ ରାସ୍ତା ପ୍ରଶସ୍ତ କରିଥାଏ ବୋଲି ବରଗଡ଼ ଜିଲ୍ଲା ଏଲ ଆଇ ୟୁନିଅନର କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ ପାଇଛି l ସଂଘର ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଦେବତାଙ୍କ ଅଧ୍ୟକ୍ଷତlରେ ଓ ସମ୍ପାଦକ ନାରାୟଣ ପଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ବୈଠକରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମୂହର ଉପଯୁକ୍ତ କାର୍ଯ୍ୟlନ୍ୱୟନ ଦିଗରେ ସମସ୍ତେ ନିଷ୍ଠା ଓ ସାଧୁତାର ସହ କାର୍ଯ୍ୟ କରୁଥିବା ହେତୁ ଖୁସି ବ୍ୟକ୍ତ କରାଯାଇଥିଲା l ଉପସଭାପତି ଯଶୋବନ୍ତ ସାହୁ ଓ ଅହଲ୍ୟା ପ୍ରଧାନ ଉଭୟେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଂଘୀୟ ଏକତା ଉପରେ ବାର୍ତ୍ତା ଦେଇଥିଲେ l ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ ପାଳନ ଯୋଜନା ପାଇଁ ଶତକଡା ସତୁରି ଭାଗ ପର୍ଯ୍ୟନ୍ତ ସବସିଡି, ମାଇ ବାଛୁରୀ ପାଳନ ପାଇଁ ଅଧା ଦାମରେ ଦାନା ଯୋଗାଣ, ପ୍ରାଣୀ ବୀମା କ୍ଷେତ୍ରରେ ଶତକଡା ପଞ୍ଚାଅଶୀ ଭାଗ ପ୍ରିମିୟମ ରାଶି ଛାଡ଼ ଭଳି ପଦକ୍ଷେପ ଚାଷୀ ପାଇଁ ବରଦାନ ସାବ୍ୟସ୍ତ ହୋଇଛି l ଚାଷୀଙ୍କ ଆଗ୍ରହ ଓ ଆବଶ୍ୟକତା ଦୃଷ୍ଟିରୁ ବରଗଡ଼ ଜିଲ୍ଲା ପାଇଁ ଏହି ସବୁ ଯୋଜନାକୁ ବ୍ୟାପକ କରାଯାଉ ବୋଲି ଆଲୋଚନା ହୋଇଥିଲା l ଯୋଜନାକୁ ଆହୁରି ସଶକ୍ତ ଓ ସଫଳ ଭାବେ ପରିଚାଳନା କରିବା ପାଇଁ ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ରରେ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି, ଭିତ୍ତିଭୂମିର ଉନ୍ନତି, ନିର୍ଦ୍ଧାରିତ ସମୟରେ ଏଲ ଆଇମାନଙ୍କ ପ୍ରାପ୍ୟ ରାଶି ପ୍ରଦାନ, ଡିଜିଟାଲ ମିଶନ ପାଇଁ ଲାପଟପ ଆଦି ଉପଲବ୍ଧ କରାଇବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ବିଚାର ବିମର୍ଶ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା l ଆଲୋଚନାରେ ବରିଷ୍ଠ ସଭ୍ୟ ସାଗର ଗଣିତ, ଜୟନ୍ତ ସାହୁ, ଡାକ୍ତର ମିଶ୍ର, ବୀରେନ୍ଦ୍ର ଅଦାବର,ଭାଗିରଥି ପଧାନ ସଂଘମିତ୍ରା ରାଉତ,ଅଞ୍ଜଳି ପଧାନ,ନନ୍ଦିନୀ ନାଏକ, ଅନିତା ପଣ୍ଡା, ତୃପ୍ତି ମେହେର, ମୀନକେତନ ସାହୁ,ଭୀଷ୍ମଦେବ ସାହୁ, ଅଶୋକ ସେଠ,ଚକ୍ରଧର ସରାଫ,ଆଲୋକ ନାରଙ୍ଗ, ଅକ୍ଷୟ ସାହୁ, ସୁଶାନ୍ତ ନାଏକ,ଦୁଃଖନାଶନ କଲତା, ରମେଶ ବାରିକ ଓ ଫକୀର ମୋହନ ସାହୁ ପ୍ରମୁଖ ଭାଗ ନେଇ ସୁଚିନ୍ତିତ ମତ ପ୍ରକାଶ କରିଥିଲେ l ଶେଷରେ ସଂଗଠନ ସମ୍ପାଦକ ସୁଶାନ୍ତ ମେହେର ଧନ୍ୟବାଦ ଦେଇଥିଲେ l



