କଣିହାଁ କୋଇଲା ଖଣି ଶ୍ରମିକଙ୍କ ଆନ୍ଦୋଳନରେ ସାମିଲ ହେଲେ ବିଧାୟକ ବ୍ରଜକିଶୋର ପ୍ରଧାନ
ଅନୁଗୋଳ: କଣିହାଁ ଅଞ୍ଚଳର କୋଇଲା ଖଣି କମ୍ପାନୀଗୁଡ଼ିକରେ ପୂର୍ବରୁ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ନୂତନ କମ୍ପାନୀରେ ପୁନଃ ନିଯୁକ୍ତି ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ସାମିଲ ହୋଇ ଶ୍ରମିକମାନଙ୍କୁ ସମର୍ଥନ ଜଣାଇଛନ୍ତି।
ଆନ୍ଦୋଳନସ୍ଥଳରେ ବିଧାୟକ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦାବିକୁ ନ୍ୟାୟସଙ୍ଗତ ବୋଲି କହିବା ସହ ଏହାର ସ୍ଥାୟୀ ଓ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଆସନ୍ତାକାଲି ଅପରାହ୍ନ ୩ଟାରେ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହ୍ୱାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ସମସ୍ୟାର ସମାଧାନ ଦିଗରେ ଫଳପ୍ରଦ ଆଲୋଚନା ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଏହି ଅବସରରେ କଣିହାଁ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପ୍ରଧାନ, ୦୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରଞ୍ଜନ ସାହୁ, ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ଉପ-ସଭାପତି ଶ୍ରୀ ସୁନିଲ କୁମାର ପ୍ରଧାନ, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୧୨ଟି କ୍ଷତିଗ୍ରସ୍ତ ଗ୍ରାମର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ।



