ଶ୍ରୀଦଧିବାମନଙ୍କୁ ଲାଗିହେଲା ଦଶମୂଳ ପାଞ୍ଚନ ଓ ମୋଦକ

ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ଭଟଲି ଶ୍ରୀଦଧିବାମନ ମହାପ୍ରଭୁ ସ୍ନାନପୂର୍ଣ୍ଣିମା ଦିନଠାରୁ ଅଣସର ପିଣ୍ଡିରେ ବିଜେ କରିଛନ୍ତି| ପନ୍ଦର ଦିନ ଧରି ଅଣସର ପିଣ୍ଡିରେ ପ୍ରଭୁଙ୍କ ଗୁପ୍ତସେବା କେବଳ ସେବକମାନଙ୍କ ଦ୍ବାରା କରାଯାଇଥାଏ। ଶ୍ରୀଅଙ୍ଗ ଲାଗି ଦ୍ରବ୍ୟ ବିଶେଷ ଗ୍ରହଣ କରିବାରେ ଶ୍ରୀବିଗ୍ରହଙ୍କୁ ଅବସର ନଥିବା ହେତୁ ଏହି ପଞ୍ଚଦଶ ଦିବସକୁ ଅନବସର କୁହାଯାଏ । ଏହି ଅନବସର ପିଣ୍ଡିରେ ଶରୀର ଗ୍ରହଣ କଳ୍ପନା ଓ ଜ୍ବରର ଚିକିତ୍ସା ବିଧିରେ ନୀତିମାନ ବିଧାନ ରହିଛି। ଏହି ସମୟରେ ପ୍ରଭୁଙ୍କୁ ଗୋରସ, ରମ୍ଭା ପକ୍ବଫଳ, ଗଜାମୁଗ, ଛେନା, କର୍ପୂର ଏବଂ କ୍ଷୀରସର ମିଶ୍ରିତ ମିଶ୍ରିପଣା ମଣୋହି କରାଯାଇଥାଏ | ଜ୍ବରରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କୁ ଆୟୁର୍ବେଦିକ ଔଷଧ ଲାଗି କରାଯାଏ। ଏଥିପାଇଁ ଆଜି ମହାପ୍ରଭୁଙ୍କୁ ବେଲ, ଫଣଫଣା, ଗମ୍ଭାରୀ, ପାଟଲୀ, ଅଗବଥୁ, ସାଲପଣ୍ଡି, କୃଷ୍ଣପଣ୍ଡି, ଗୋଖୁରା, ଅଙ୍କରାନ୍ତି ଓ ଡଙ୍ଗାଭେଜି ଚେରର ମିଶ୍ରଣରେ ପ୍ରସ୍ତୁତ ଦଶମୂଳ ପାଞ୍ଚନ ଏବଂ ମୋଦକ ଲାଗି କରାଯାଇଥିଲା । ଭଟଲିର ରାଜବୈଦ୍ୟ ସ୍ଵର୍ଗତ ପୁରନ୍ଦର ନାଏକ, ବିଦ୍ୟାଧର କବିରାଜ, ମଧୁସୂଦନ ନାଏକଙ୍କ ପରେ ପରମ୍ପରାକ୍ରମେ ବୈଦ୍ୟ ଗୋପୀନାଥ ନାଏକ ୯୮ ବର୍ଷ ବୟସରେ ମଧ୍ୟ ଏହି ଔଷଧ ମାନ ପ୍ରସ୍ତୁତ କରି ବିନା ମୂଲ୍ୟରେ ପ୍ରଭୁଙ୍କୁ ଅର୍ପଣ କରିଆସୁଛନ୍ତି। ଏଥିରେ ଈଶ୍ବର ନାଏକ ଏବଂ ରଞ୍ଜିତ ନାଏକ ସହଯୋଗ କରିଥିଲେ । ଏହି ଅଣସର ପିଣ୍ଡିରେ ଦଧିବାମନ ମହାପ୍ରଭୁଙ୍କୁ କେବଳ କରାଳ ଚନ୍ଦନ ଓ ସୁଗନ୍ଧିତ ଶୁକ୍ଳଫୁଲ ଲାଗି କରାଯାଏ। ଅନବସର ଘରେ ଶ୍ରୀମୁଖ ଦର୍ଶନ ନିଷେଧ ଥିବାରୁ ତାଙ୍କ ସେବା କରିବା ପୂର୍ବରୁ ପ୍ରଥମେ ଶ୍ରୀଜିଉଙ୍କୁ କ୍ଷମା ପ୍ରାର୍ଥନା କଲାପରେ ତାଙ୍କ ସେବା ଆରମ୍ଭ କରାଯାଏ | ଶ୍ରୀଦଧିବାମନ ମହାପ୍ରଭୁଙ୍କ ସେବା ଏବେ ମନ୍ଦିର ମୁଖ୍ୟ ପୂଜକ ସମ୍ପାଦନ କରି ଆସୁଛନ୍ତି ।



