ଦଧୂବାମନ ମହାପ୍ରଭୁ ଙ୍କ ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧୂବାମନ ଧାମରେ ରଥଯାତ୍ରା ଅବସରରେ ସୋମବାର ହେରା ପଞ୍ଚମୀ ପାଳିତ ହୋଇଯାଇଛି । ମହାପ୍ରଭୁ ଦବାମନ ଘୋଷଯାତ୍ରା ବେଳେ ମା’ ଲକ୍ଷ୍ମୀଙ୍କୁ ଶ୍ରୀ ମନ୍ଦିରରେ ଏକାକୀ ଛାଡ଼ିଦେଇ ରଥାରଢ଼ ହୋଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ପାଞ୍ଚ ଦିନ ଧରି ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ଫେରିବା ବାଟ କୁ ଚାହିଁ ଚାହିଁ ମା’ ଲକ୍ଷ୍ମୀ ଜର୍ଜରିତ ହୋଇ ଯାଇଥିଲେ। ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଘଣ୍ଟବାଦ୍ୟ, ହରିବୋଲ ହୁଳହୁଳି ଏବଂ ସମ୍ପ୍ରଦା ଶୋଭାଯାତ୍ରାରେ ସମ୍ପ୍ରଦା ସହିତ ସୁସଜ୍ଜିତ ରଥରେ ଯାତ୍ରାରେ ବାହାରିଥିଲେ। ଷଷ୍ଠୀ ତିଥ୍ ସୋମବାର ଆଉ ଅପେକ୍ଷା କରି ନ ପାରି ନିଜ ଦାସଦାସୀଙ୍କ ସହିତ ସିଧାସଳଖ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କୁ ଭେଟି ଶ୍ରୀ ମନ୍ଦିର ଫେରିଯିବା ପାଇଁ ଅନୁରୋଧ କରିଥିଲେ । ତେବେ ମହାପ୍ରଭୁ ଲକ୍ଷ୍ମୀଙ୍କ କଥାରେ ସମ୍ପୂର୍ଣ ସହମତି ନ ଜଣାଇ ଦଶମୀ ତିଥିରେ ଶ୍ରୀମନ୍ଦିର ବାହୁଡ଼ିବେ ବୋଲି ପ୍ରତିଶ୍ରୁତି ଦେଇ ଆଜ୍ଞାମାଳ ଦେଇଥିଲେ। ମାତ୍ର ଏଥିରେ ପୁଣିଥରେ ରାଗିଯାଇ ମା’ ଲକ୍ଷ୍ମୀ ସିଧାସଳଖ ନନ୍ଦିଘୋଷ ରଥକୁ ଆସି ରଥ କାଠ ଭାଙ୍ଗି ଶ୍ରୀମନ୍ଦିର ଫେରି ଯାଇଥିଲେ। ତେବେ ମା’ ଲକ୍ଷ୍ମୀଙ୍କୁ ଶ୍ରୀ ମନ୍ଦିର ଫେରି ଯିବାର ପ୍ରତିଶ୍ରୁତି ଦେଇଥିବାରୁ ମହାପ୍ରଭୁଙ୍କ ନିର୍ଦେଶ ମତେ ନନ୍ଦିଘୋ ରଥକୁ ଦକ୍ଷିଣାଭିମୁଖ୍ କରାଯିବ ବୋଲି ଜଣାପଡ଼ିଛି। ପ୍ରତ୍ୟହ ମାଉସୀ ମା’ ମନ୍ଦିରରେ ଦଧୂବାମନ ମହାପ୍ରଭୁ ଥିବା ସମୟରେ ଶ୍ରୀମଦଭାଗବତ ରାସ ପଞ୍ଚାଧ୍ୟୟୀ ପଠନ କରାଯାଉଛି। ନବଦିନାତ୍ମକ ଯାତ୍ରା ମଞ୍ଚରେ ତଥା ପୁରୁଣା ମାଉସୀ ମା’ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ଥାନୀୟ ସତିହାରୀ ମହିଳା ଭାଗବତ ମଣ୍ଡଳୀ ତରଫରୁ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା। ସୋମବାର ମାଉସୀ ମା’ ମନ୍ଦିରରେ ସନ୍ଧ୍ୟାରେ ଦଧିବାମନ ମହାପ୍ରଭୁଙ୍କୁ ବିଶେଷ ଛେନାପୋଡ଼ ଭୋଗ ଲାଗି କରାଯାଇ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ରଥଯାତ୍ରା କମିଟି ତଥା ଛପନ ଭୋଗ ଗୃପର ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ଶହ ଶହ ମଙ୍ଗଳ ଆଳତି ମାଉସୀ ମା’ ମନ୍ଦିରରେ ଲାଗି ଥିଲା।




