ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; କହିଲେ– ନୈତିକତା ଓ ଦାୟିତ୍ୱବୋଧର ଉଜ୍ଜ୍ୱଳ ଉଦାହରଣ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପ୍ରତିକ୍ରିୟାରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶର ଶିକ୍ଷା ବ୍ୟବସ୍ଥାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ।
ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି–୨୦୨୦ ଭଳି ଐତିହାସିକ ପଦକ୍ଷେପ ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା। ଏହି ନୀତି ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଦିଗ ଦେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହୋଇଛି।
ସେ ଆହୁରି କହିଛନ୍ତି, ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି। ବୃହତ୍ତର ସାମାଜିକ ହିତ ଓ ନୈତିକ ମୂଲ୍ୟବୋଧକୁ ଆଧାର କରି ସେ ନିଜ ଦାୟିତ୍ୱ ପାଳନ କରିଥିବା ମୋହନ ମାଝୀ ଉଲ୍ଲେଖ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ତାଙ୍କ ଉଚ୍ଚ ନୈତିକ ଆଦର୍ଶ, ଦାୟିତ୍ୱବୋଧ ଓ ଜନସେବା ପ୍ରତି ନିଷ୍ଠାର ପରିଚୟ। ଶେଷରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗାମୀ ଜନସେବାମୂଳକ କାର୍ଯ୍ୟଜୀବନ ଆହୁରି ସଫଳ ଓ ଗୌରବମୟ ହେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।



