ସରକାର ସହ ଆଲୋଚନା ପରେ ସିଜେପିର ବଡ଼ ଘୋଷଣା; ପ୍ରତ୍ୟାହାର ହେଲା ଆନ୍ଦୋଳନ
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚାଲିଥିବା ସିଜେପିର ଆନ୍ଦୋଳନ ଶେଷ ହୋଇଛି। ସରକାରଙ୍କ ସହ ତିନି ପର୍ଯ୍ୟାୟ ଆଲୋଚନା ପରେ ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରାଯାଇଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସିଜେପିର ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଏହି ସୂଚନା ଦେଇଛନ୍ତି।
ଆଶୁତୋଷ ରାଙ୍କା କହିଛନ୍ତି, ସିଜେପି ପକ୍ଷରୁ ତିନୋଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଦାବି ପୂରଣ ହୋଇଥିବାବେଳେ ବାକି ଦାବିଗୁଡ଼ିକ ସମ୍ପର୍କରେ ମଧ୍ୟ ସରକାର ସକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ସଂଗଠନ ପକ୍ଷରୁ ଆନ୍ଦୋଳନକାରୀଙ୍କ ପାଇଁ ₹୧ କୋଟି କ୍ଷତିପୂରଣ ଏବଂ ସମସ୍ତ ମାମଲା ପ୍ରତ୍ୟାହାର ଦାବି ମଧ୍ୟ କରାଯାଇଥିଲା।
ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ କହିଛନ୍ତି ଯେ, ସରକାର ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଆଶ୍ୱାସନ ଦେଇଛନ୍ତି। ଏଥିସହ ଏଫଆଇଆରର କପି ସମ୍ପୃକ୍ତ ପକ୍ଷଙ୍କୁ ପ୍ରଦାନ କରାଯିବ ଏବଂ ଭବିଷ୍ୟତରେ ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ନୂତନ କାର୍ଯ୍ୟାନୁଷ୍ଠାନ ନ ହେବ ବୋଲି ପ୍ରତିଶ୍ରୁତି ମିଳିଛି।
ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ, ସିଜେପି ପକ୍ଷରୁ ଦିଆଯାଇଥିବା ପାଞ୍ଚଟି ପରାମର୍ଶକୁ ସରକାର ଗୁରୁତ୍ୱର ସହ ବିଚାର କରିବେ। ତୃତୀୟ ପର୍ଯ୍ୟାୟ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, ଜିତେନ୍ଦ୍ର ସିଂହ, ସୌରଭ ଦାସ ଓ ଆଶୁତୋଷ ରାଙ୍କା ଉପସ୍ଥିତ ଥିଲେ।
ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରି ସିଜେପି ସମସ୍ତ ସମର୍ଥକ ଓ ଆନ୍ଦୋଳନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜ ଘରକୁ ଫେରିଯିବାକୁ ଅନୁରୋଧ କରିଛି।



