ନୈତିକତା ଆଧାରରେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ; NEET ବିବାଦ ପରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦରୁ ଇସ୍ତଫା ଦେଇଥିବା ସୂଚନା ନିଜ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଛନ୍ତି। ସମ୍ପ୍ରତି NEET ପରୀକ୍ଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ ସେ ନୈତିକତାର ଆଧାରରେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।
ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା କ୍ଷେତ୍ରର ସଂସ୍କାର ଓ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିଆସିଛନ୍ତି। ୩ ମେ ୨୦୨୬ରେ ଅନୁଷ୍ଠିତ NEET ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ତୁରନ୍ତ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ମାମଲାକୁ CBIକୁ ହସ୍ତାନ୍ତର କରାଯିବା ସହ ୨୧ ଜୁନରେ ପୁନଃ ପରୀକ୍ଷା ଆୟୋଜନ କରାଯାଇଥିଲା।
ତେବେ କିଛି ରାଜନୈତିକ ଶକ୍ତି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରି ପରିସ୍ଥିତିକୁ ଅଧିକ ଜଟିଳ କରିଥିବା ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନଗତ ବିବାଦ କିମ୍ବା ରାଜନୈତିକ ଟଣାଓଟରାରେ ପ୍ରଭାବିତ ନ ହେଉ, ସେହି ଉଦ୍ଦେଶ୍ୟରେ ସେ ପଦ ତ୍ୟାଗ କରିଥିବା କହିଛନ୍ତି।
ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ଜନସାଧାରଣ ଓ ଦେଶର ଯୁବପିଢ଼ିଙ୍କ ସେବାରେ ନିଜକୁ ସମର୍ପିତ ରଖିବେ ବୋଲି ସେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, NEET ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ୩୬ ଦିନ ଧରି ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଏକ ପ୍ରମୁଖ ଦାବି ଥିଲା।



