ବିହାରରେ ରେଳ ଭିତ୍ତିଭୂମିକୁ ବଡ଼ ଶକ୍ତି; ଦାନାପୁର–ଫତୁହା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ₹୯୭୬ କୋଟି ମଞ୍ଜୁର
ନୂଆଦିଲ୍ଲୀ, ୧ ଅଗଷ୍ଟ: ବିହାରର ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ରେଳବାଇ ପୂର୍ବ ମଧ୍ୟ ରେଳବାଇର ଦାନାପୁର–ଫତୁହା ୨୯ କିଲୋମିଟର ରେଳପଥର ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ₹୯୭୬ କୋଟି ବ୍ୟୟରେ ମଞ୍ଜୁରି ଦେଇଛି।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଟନା ରେଳ କରିଡରର ସବୁଠାରୁ ବ୍ୟସ୍ତ ରେଳପଥରେ ଯାତାୟାତ ଚାପ ହ୍ରାସ ପାଇବ। ଏହା ସହ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ସଂଖ୍ୟା ବଢ଼ାଇବା ସହ ସମୟାନୁବର୍ତ୍ତିତାରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଆସିବ।
ପ୍ରକଳ୍ପ ଅନୁଯାୟୀ ଦାନାପୁର–ପାଟନା ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳଲାଇନ, ରାଜେନ୍ଦ୍ର ନଗର–ପାଟନା ସାହିବ ମଧ୍ୟରେ ତୃତୀୟ ଲାଇନ, ଏବଂ ପାଟନା ସାହିବ–ଫତୁହା ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ ବିଛାଯିବ।
ରେଳବାଇର ସୂଚନା ଅନୁସାରେ, ପ୍ରକଳ୍ପ ଆରମ୍ଭ ହେବାର ପ୍ରଥମ ବର୍ଷରେ ପ୍ରତିଦିନ ୨୨ଟି ଅତିରିକ୍ତ ଯାତ୍ରୀବାହୀ ଟ୍ରେନ୍ ଓ ୧୮ଟି ଅତିରିକ୍ତ ମାଲବାହୀ ଟ୍ରେନ୍ ଚଳାଚଳ କରିପାରିବ। ଏହା ସହ ପ୍ରତିବର୍ଷ ୫.୨ ମିଲିୟନ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ସୃଷ୍ଟି ହେବ।
ଏହି ପ୍ରକଳ୍ପ ଦିଲ୍ଲୀ–ଦୀନଦୟାଳ ଉପାଧ୍ୟାୟ ଜଙ୍କସନ–ପାଟନା–କିଉଲ–ଭାଗଲପୁର–ଖାନା–ହାଉରା ରେଳ କରିଡରର କ୍ୱାଡ୍ରୁପ୍ଲିଂ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ବକ୍ସର ଜିଲ୍ଲାରେ ନିର୍ମାଣାଧୀନ ୨୧୨୦ ମେଗାୱାଟ୍ ଚାଉସା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ କୋଇଲା ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନରେ ମଧ୍ୟ ବଡ଼ ସହାୟକ ହେବ।
ଭାରତୀୟ ରେଳବାଇ କହିଛି, ଏହି ପଦକ୍ଷେପ ଉଚ୍ଚ ଘନତା ରେଳପଥର କ୍ଷମତା ବୃଦ୍ଧି, ଶିଳ୍ପ ଓ ଶକ୍ତି କ୍ଷେତ୍ର ପାଇଁ ଲଜିଷ୍ଟିକ୍ସକୁ ସୁଦୃଢ଼ କରିବା ସହ ବିହାରର ସାମାଜିକ ଓ ଆର୍ଥିକ ବିକାଶକୁ ନୂଆ ଗତି ଦେବ।



