୨୦ ମିନିଟ୍ରେ ୭ ବିସ୍ଫୋରଣ: ଦୁବାଇର ଜେବେଲ ଅଲୀ ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ
ଦୁବାଇ/ନୂଆଦିଲ୍ଲୀ: ଦୁବାଇର ଜେବେଲ ଅଲୀ ଶିଳ୍ପାଞ୍ଚଳରେ ମଙ୍ଗଳବାର ରାତିରେ ପ୍ରାୟ ୨୦ ମିନିଟ୍ ମଧ୍ୟରେ କ୍ରମାଗତ ସାତଟି ବିସ୍ଫୋରଣ ଘଟିବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବିସ୍ଫୋରଣ ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବାବେଳେ ଆକାଶକୁ କଳା ଧୂଆଁର ଘନ ବାଦଲ ଉଠୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପ୍ରାରମ୍ଭିକ ସୂଚନା ଅନୁସାରେ, ବନ୍ଦର ନିକଟରେ ଥିବା ଇନ୍ଧନ ସଂରକ୍ଷଣ ଓ ପରିବହନ ସମ୍ବନ୍ଧୀୟ ଏକ ଗୋଦାମରେ ନିଆଁ ଲାଗିଥିଲା। ଏହାପରେ ପରପରି ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା।
ସୋସିଆଲ ମିଡିଆ ଓ କିଛି ବିଦେଶୀ ଗଣମାଧ୍ୟମରେ ଏହାକୁ ଆଞ୍ଚଳିକ ସାମରିକ ଉତ୍ତେଜନା ସହ ଯୋଡ଼ାଯାଉଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଏହା ମିସାଇଲ୍ ଆକ୍ରମଣ ବୋଲି କୌଣସି ସରକାରୀ ପୁଷ୍ଟି ମିଳିନାହିଁ। ୟୁଏଇ କର୍ତ୍ତୃପକ୍ଷ ଲୋକଙ୍କୁ କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ଆହ୍ୱାନ କରିଛନ୍ତି।



