ଶୀର୍ଷକ:
ଧାରା ୩୭୦ ଓ ୩୫(ଏ) ଉଚ୍ଛେଦର ୭ ବର୍ଷ: ଜମ୍ମୁ-କଶ୍ମୀରରେ ଆସିଛି ବ୍ୟାପକ ପରିବର୍ତ୍ତନ – ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୬ ଅଗଷ୍ଟ: ଧାରା ୩୭୦ ଓ ୩୫(ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ନିଷ୍ପତ୍ତିକୁ ଭାରତର ଏକତା ଓ ସମାବେଶୀ ବିକାଶର ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ୫ ଅଗଷ୍ଟ ୨୦୧୯ ପରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ସାତ ବର୍ଷ ମଧ୍ୟରେ ଅଞ୍ଚଳରେ ଭିତ୍ତିଭୂମିର ଦ୍ରୁତ ବିକାଶ ସହ ଶିକ୍ଷା, ସ୍ୱାସ୍ଥ୍ୟସେବା, ଉଦ୍ୟୋଗ ଓ କ୍ରୀଡ଼ା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି। ମହିଳା ଏବଂ ଦୀର୍ଘଦିନ ଧରି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ବିଭିନ୍ନ ବର୍ଗର ଲୋକମାନେ ବର୍ତ୍ତମାନ ଭାରତୀୟ ସମ୍ବିଧାନର ସମ୍ପୂର୍ଣ୍ଣ ସୁବିଧା ପାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
ଏକ୍ସ (ପୂର୍ବତନ ଟ୍ୱିଟର)ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ଯାତ୍ରାକୁ ନୂଆ ଦିଗ ଦେଇଛି। ଆଗାମୀ ଦିନରେ ମଧ୍ୟ ସେହି ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅତୁଟ ରହିବ ବୋଲି ସେ ଦୋହରାଇଛନ୍ତି।
ଚଳିତ ବର୍ଷ ଏହି ଦିବସର ଗୁରୁତ୍ୱ ଆହୁରି ବଢ଼ିଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଏବେ ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛି। ଜାତୀୟ ଏକତା ପ୍ରତି ତାଙ୍କର ଆଦର୍ଶ ଓ ଦୃଷ୍ଟିକୋଣ ଅନେକ ପିଢ଼ିକୁ ପ୍ରେରଣା ଦେଇଆସୁଛି ବୋଲି ମୋଦୀ କହିଛନ୍ତି।
ପ୍ରତ୍ୟେକ ନାଗରିକଙ୍କୁ ବଡ଼ ସ୍ୱପ୍ନ ଦେଖିବା, ନିଜର ଆକାଂକ୍ଷା ପୂରଣ କରିବା ଏବଂ ‘ବିକଶିତ ଭାରତ’ ଗଠନରେ ସହଭାଗୀ ହେବାର ସମାନ ସୁଯୋଗ ମିଳିବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



