ଆମ୍ ଆଦମୀ ପାର୍ଟି ଦ୍ୱାରା କ୍ରାନ୍ତି ଦିବସ ପାଳିତ
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଦ୍ୱାରା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଦଳର ସଦସ୍ୟମାନେ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଅଗଷ୍ଟ କ୍ରାନ୍ତି ସମ୍ପର୍କିତ ଏକ ଆଲୋଚନା ଚକ୍ର ହୋଇଥିଲା। ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ୧୯୪୨ ମସିହା ଦ୍ୱିତୀୟ ବିଶ୍ଵ ଯୁଦ୍ଧ ସମୟର ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଏବଂ ସଦର ନିର୍ବାଚନ ମଣ୍ଡଳୀ ଇନଚାର୍ଜ ଚିତ୍ତରଞ୍ଜନ ପାଣି ପ୍ରମୁଖ ଇଂରେଜ ମାନଙ୍କୁ ଭାରତରୁ ତଡ଼ି ପୂର୍ଣ୍ଣ ସ୍ୱାଧୀନତା ପାଇଁ କର ବା ମର ନାରା ସମ୍ପର୍କରେ ଆଲୋଚନା କରିଥିଲେ। ସେତେବେଳେ ଭାରତବର୍ଷରେ ଧଳା ଇଂରେଜ ମାନେ ଲୁଟ ତରାଜ କରୁଥିଲେ, ବର୍ତ୍ତମାନ କଳା ଇଂରେଜ ମାନେ ଲୁଟ କରୁଛନ୍ତି। ଏବେ ସୁଦ୍ଧା ଆମେ ଆର୍ଥିକ ସ୍ୱାଧୀନତା ପାଇନାହେଁ ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ ନିଜ ଅଭିଭାଷଣରେ କହିଥିଲେ। ଏବେ ସମୟ ଆସିଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା। ଏହି କାର୍ଯ୍ୟକ୍ରମରେ ଉପସଭାପତି ପ୍ରସନ୍ନ ବରାଳ, ଜୟଦେବ ବେହେରା, ହିରଣ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।



