ନଭୀ ମୁମ୍ବାଇରେ CIDCO PMAY ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
ଆଧୁନିକ ନିର୍ମାଣ ପ୍ରଯୁକ୍ତି ଓ ସୁଲଭ ଆବାସ ବ୍ୟବସ୍ଥାର ଅନୁଧ୍ୟାନ
ଭୁବନେଶ୍ୱର/ନଭୀ ମୁମ୍ବାଇ: ଓଡ଼ିଶାର ସହରାଞ୍ଚଳରେ ସୁଲଭ ଓ ଗୁଣାତ୍ମକ ଆବାସ ନିର୍ମାଣକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ନଭୀ ମୁମ୍ବାଇର ଖାରକୋପର ଓ ବାମନଡୋଙ୍ଗରୀସ୍ଥିତ CIDCOର PMAY ପ୍ରକଳ୍ପ ପରିଦର୍ଶନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ନିର୍ମିତ ଏହି ଆବାସ ପ୍ରକଳ୍ପରେ ଅବଲମ୍ବନ କରାଯାଇଥିବା ଆଧୁନିକ ନିର୍ମାଣ ପ୍ରଣାଳୀ ଓ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ଅବଗତ ହୋଇଥିଲେ।
ଦ୍ରୁତ ନିର୍ମାଣ ସହ ଗୃହର ଗୁଣବତ୍ତା ଓ ସ୍ଥାୟୀତ୍ୱ ବଜାୟ ରଖିବା ପାଇଁ ପ୍ରିକାଷ୍ଟ କଂକ୍ରିଟ୍ ଏବଂ ଆଲୁମିନିୟମ୍ ଫର୍ମୱାର୍କ ପ୍ରଯୁକ୍ତିର ବ୍ୟବହାରକୁ ମନ୍ତ୍ରୀ ଅନୁଧ୍ୟାନ କରିଥିଲେ। ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ଓ ନିମ୍ନ ଆୟ ବର୍ଗ (LIG) ପରିବାରଙ୍କ ପାଇଁ ସୁଲଭ ମୂଲ୍ୟରେ ଗୃହ ଯୋଗାଣ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ପ୍ରକଳ୍ପ ପରିଦର୍ଶନ ସମୟରେ ଗୃହ ନିର୍ମାଣର ମାନ, ଭିତ୍ତିଭୂମି ସୁବିଧା, ଟାଉନ୍ସିପ୍ ଯୋଜନା, ଯୋଗାଯୋଗ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ଓ ନିଷ୍କାଶନ, ପାର୍କ, ଶକ୍ତି-ଦକ୍ଷ ଆଲୋକୀକରଣ ଏବଂ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା ଆଦି ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ।
ପ୍ରକଳ୍ପ ସହ ଜଡ଼ିତ ଅଧିକାରୀ ଓ ଯନ୍ତ୍ରୀମାନେ ନିର୍ମାଣ କାର୍ଯ୍ୟର ବର୍ତ୍ତମାନ ସ୍ଥିତି, ଅଗ୍ରଗତି, ବ୍ୟବହୃତ ପ୍ରଯୁକ୍ତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏହି ଗସ୍ତରେ CIDCOର ଅଧୀକ୍ଷଣ ଯନ୍ତ୍ରୀ ବିଜୟ ପାଟିଲ, ଶ୍ରୀ କରାଡେ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ସାପକାଲେ, ଟାଟା କନ୍ସଲ୍ଟିଂର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର ସାମନ୍ତରାୟ, ବିଭିନ୍ନ PMC ପ୍ରତିନିଧି ଏବଂ ଲାର୍ସେନ୍ ଆଣ୍ଡ ଟୁବ୍ରୋର ପ୍ରକଳ୍ପ ପରିଚାଳକ ଶ୍ରୀ କରୁଣାନିଧିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ନଭୀ ମୁମ୍ବାଇର ଏହି ପ୍ରକଳ୍ପରେ ଅବଲମ୍ବନ କରାଯାଉଥିବା ନିର୍ମାଣ ପ୍ରଯୁକ୍ତି, ଯୋଜନା ଓ ଭିତ୍ତିଭୂମି ବ୍ୟବସ୍ଥା ଓଡ଼ିଶାର ଭବିଷ୍ୟତ ସହରୀ ଆବାସ ପ୍ରକଳ୍ପରେ କିପରି ପ୍ରୟୋଗ କରାଯାଇପାରିବ, ସେ ଦିଗରେ ଏହି ପରିଦର୍ଶନ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।



