ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ତ୍ରିରଙ୍ଗା ପଦଯାତ୍ରାରେ ଗୁଞ୍ଜିଲା ଦେଶଭକ୍ତିର ସ୍ୱର
ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରି ରାଜ୍ୟବାସୀଙ୍କୁ ନିଜ ଘର, ଗାଁ, ସହର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗର୍ବର ସହ ଜାତୀୟ ପତାକା ଉଡ଼ାଇବାକୁ ଆହ୍ୱାନ କରିଛନ୍ତି।
ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ବିଶାଳ ତ୍ରିରଙ୍ଗା ପଦଯାତ୍ରା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ, NCC-NSS ସ୍ୱେଚ୍ଛାସେବୀ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ମାନେ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ତ୍ରିରଙ୍ଗା କେବଳ ତିନୋଟି ରଙ୍ଗର ସମାହାର ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। ଜାତୀୟ ପତାକାର ସମ୍ମାନ ରକ୍ଷା ସହ ପ୍ଲାଷ୍ଟିକ୍ ପତାକା ବ୍ୟବହାର ନକରି କପଡ଼ାର ତ୍ରିରଙ୍ଗା ବ୍ୟବହାର କରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।
ଯୁବପିଢ଼ି ଓ Gen-Zଙ୍କୁ ଦେଶ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି— “ଯୁବଶକ୍ତିର ଏକ ହିଁ ସ୍ୱର—ସୁରକ୍ଷିତ ହେବ ଦେଶ ଆମର।” ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣରେ ଓଡ଼ିଶାର ଭୂମିକା ନିର୍ଣ୍ଣାୟକ ହେବ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଓ ଓଡ଼ିଶାର ଅମର ସପୁତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୧୯୪୨ ଅଗଷ୍ଟ ୯ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ବୋଲି ସେ ସ୍ମରଣ କରିଥିଲେ।
‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଘରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ଜାତୀୟ ପତାକା ପ୍ରତି ସମ୍ମାନ ଓ ଗର୍ବର ଭାବନାକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।



