ନୂଆଦିଲ୍ଲୀରେ ପ୍ରଥମଥର ‘ଓରମାସ ପପ୍-ଅପ୍ ଷ୍ଟୋର’; ଜାତୀୟ ବଜାରରେ ଚମକିବ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ
ଭୁବନେଶ୍ୱର, ୧୨/୦୮: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଜାତୀୟ ବଜାରରେ ନୂଆ ପରିଚୟ ଦେବା ପାଇଁ ଆରମ୍ଭ ହୋଇଛି ଏକ ଅଭିନବ ପଦକ୍ଷେପ। ପ୍ରଥମଥର ପାଇଁ ନୂଆଦିଲ୍ଲୀର ସାକେତସ୍ଥିତ ଡିଏଲଏଫ୍ ଆଭେନ୍ୟୁରେ ଖୋଲିଛି ‘ଓରମାସ ପପ୍-ଅପ୍ ଷ୍ଟୋର’।
ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଆରମ୍ଭ ହୋଇଥିବା ଏହି ଷ୍ଟୋର ଅଗଷ୍ଟ ୧୧ରୁ ସେପ୍ଟେମ୍ବର ୧୦, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀର ଗ୍ରାହକଙ୍କ ନିକଟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ମୌଳିକ ଓ ପାରମ୍ପରିକ ଉତ୍ପାଦ ପହଞ୍ଚାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ।
୩୦ରୁ ଅଧିକ ପାରମ୍ପରିକ ଉତ୍ପାଦ
ଷ୍ଟୋରରେ ରାଜ୍ୟର ୧୪ଟି ଜିଲ୍ଲାର ୩୦ରୁ ଅଧିକ ପ୍ରକାରର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରି ହେଉଛି। ସମ୍ବଲପୁରୀ ଇକତ, ସମ୍ବଲପୁରୀ ସିଲ୍କ, କୋଟପାଡ଼, ପଟ୍ଟଚିତ୍ର, ହବସପୁରୀ, ଟସର ଓ ଖଣ୍ଡୁଆ ପାଟ ଶାଢ଼ି ସହ ପାରମ୍ପରିକ ସମ୍ବଲପୁରୀ ଓ ଢୋକ୍ରା ଗହଣା ମଧ୍ୟ ଏଠାରେ ଉପଲବ୍ଧ ରହିଛି।
ବୁଣାକାର ଓ କାରିଗରଙ୍କୁ ମିଳିବ ବଡ଼ ବଜାର
ଏହି ପପ୍-ଅପ୍ ଷ୍ଟୋର ମାଧ୍ୟମରେ ଓଡ଼ିଶାର ବୁଣାକାର, କାରିଗର ଏବଂ କମ୍ୟୁନିଟି-ବେସ୍ଡ ଅର୍ଗାନାଇଜେସନ୍ଗୁଡ଼ିକ ସିଧାସଳଖ ଦିଲ୍ଲୀର ଗ୍ରାହକଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇବେ। ଏହା ଉତ୍ପାଦର ବଜାର ବଢ଼ାଇବା ସହ କାରିଗରଙ୍କ ଆୟ ଓ ଜୀବିକାକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ।
ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ
ଅଗଷ୍ଟ ୧୧ ସନ୍ଧ୍ୟାରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଷ୍ଟୋରର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍. ଏବଂ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଅତିଥିମାନେ ଉପସ୍ଥିତ ଥିଲେ।
ଜାତୀୟ ରାଜଧାନୀରେ ଓଡ଼ିଶାର କଳା, କାରିଗରୀ ଓ ବୁଣାକାରଙ୍କ ପରିଶ୍ରମକୁ ପହଞ୍ଚାଇବା ଦିଗରେ ଏହି ‘ଓରମାସ ପପ୍-ଅପ୍ ଷ୍ଟୋର’ ଏକ ନୂଆ ବଜାର ଦ୍ୱାର ଖୋଲିଛି।



