₹୧୦ ଓ ₹୨୦ର ପଲିମର ନୋଟ୍କୁ ମଞ୍ଜୁରୀ; ଏବେ ହେବ ଫିଲ୍ଡ ଟ୍ରାଏଲ୍
ନୂଆଦିଲ୍ଲୀ, ୧୨/୮: ଭାରତୀୟ ମୁଦ୍ରା ବ୍ୟବସ୍ଥାରେ ଆସିପାରେ ନୂଆ ପରିବର୍ତ୍ତନ। କମ୍ ମୂଲ୍ୟର ନୋଟ୍କୁ ଅଧିକ ସ୍ଥାୟୀ କରିବା ଲକ୍ଷ୍ୟରେ ₹୧୦ ଓ ₹୨୦ର ପଲିମର (ପ୍ଲାଷ୍ଟିକ୍) ବ୍ୟାଙ୍କ ନୋଟ୍ର ଫିଲ୍ଡ ଟ୍ରାଏଲ୍କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ତେବେ ଏହାର ନିୟମିତ ଚଳନ ତୁରନ୍ତ ଆରମ୍ଭ ହେବ ନାହିଁ। ପ୍ରଥମେ ପରୀକ୍ଷାମୂଳକ ଭାବେ ନୋଟ୍ଗୁଡ଼ିକୁ ବଜାରରେ ଚଳାଯିବ।
ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ସୁପାରିଶ ଆଧାରରେ ସରକାରଙ୍କ ନିକଟକୁ ଏହି ପ୍ରସ୍ତାବ ଯାଇଥିଲା। ଯୋଜନା ଅନୁସାରେ ପ୍ରାରମ୍ଭିକ ଫିଲ୍ଡ ଟ୍ରାଏଲ୍ ପାଇଁ ₹୧୦ର ୧୦୦ କୋଟି ଏବଂ ₹୨୦ର ୧୦୦ କୋଟି, ଅର୍ଥାତ୍ ମୋଟ ୨୦୦ କୋଟି ପଲିମର ନୋଟ୍ ପ୍ରସ୍ତୁତ କରାଯିବ।
କାଗଜ ନୋଟ୍ ବନ୍ଦ ହେବ କି?
ଏହା ନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ପଲିମର ନୋଟ୍ ଆସିଲେ ବର୍ତ୍ତମାନର କାଗଜ ନୋଟ୍ ବନ୍ଦ ହେବ ନାହିଁ। ଫିଲ୍ଡ ଟ୍ରାଏଲ୍ ସଫଳ ହେଲେ ମଧ୍ୟ ପଲିମର ଓ କାଗଜ ନୋଟ୍ ଏକାସାଙ୍ଗରେ ଚଳାଚଳ କରିବାର ବ୍ୟବସ୍ଥା ରହିବ।
କାହିଁକି ପଲିମର ନୋଟ୍?
ପଲିମର ନୋଟ୍ର ଆୟୁଷ କାଗଜ ନୋଟ୍ ତୁଳନାରେ ଅଧିକ ବୋଲି ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ₹୧୦ ଓ ₹୨୦ ଭଳି ନୋଟ୍ ବାରମ୍ବାର ହାତ ବଦଳ କରୁଥିବାରୁ ଶୀଘ୍ର ମଇଳା ଓ ଖରାପ ହୋଇଯାଏ। ପଲିମର ନୋଟ୍ ଅଧିକ ସ୍ଥାୟୀ ହେବା ସହ ଜଳ ଓ ଆର୍ଦ୍ରତା ପ୍ରତି ମଧ୍ୟ ଅଧିକ ପ୍ରତିରୋଧୀ।
ଫିଲ୍ଡ ଟ୍ରାଏଲ୍ର ଫଳାଫଳ ଆଧାରରେ ଏହି ଦୁଇ ମୂଲ୍ୟର ପଲିମର ନୋଟ୍କୁ ନିୟମିତ ଭାବେ ଜାରି କରାଯିବ କି ନାହିଁ, ସେନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏବେ ସୁଦ୍ଧା ନିଶ୍ଚିତ ଲଞ୍ଚ୍ ତାରିଖ ଘୋଷଣା ହୋଇନାହିଁ।



