ପ୍ରଦୂଷଣ ପ୍ରସଙ୍ଗରେ ଆଜି ଅନୁଗୁଳ ବନ୍ଦ: ୧୨ ଘଣ୍ଟିଆ ଆନ୍ଦୋଳନକୁ କଂଗ୍ରେସର ଡାକରା
ଅନୁଗୁଳ, ୧୨/୦୮: କୋଇଲା ଓ ଫ୍ଲାଏଆଶ୍ ପରିବହନରୁ ସୃଷ୍ଟ ପ୍ରଦୂଷଣ, ଯାତାୟାତ ସମସ୍ୟା ଓ ସଡ଼କ ଦୁର୍ଘଟଣା ରୋକିବା ଦାବିରେ ଆଜି ଅନୁଗୁଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ସମୟରେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ସହ ଯାନବାହନ ଚଳାଚଳ ବନ୍ଦ ପାଇଁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି।
କୋଇଲା-ପାଉଁଶ ପରିବହନକୁ ନେଇ ଅସନ୍ତୋଷ
କଂଗ୍ରେସର ଅଭିଯୋଗ ଅନୁସାରେ, ଜିଲ୍ଲାରେ ବ୍ୟାପକ ଭାବେ କୋଇଲା ଓ ଫ୍ଲାଏଆଶ୍ ପରିବହନ ଯୋଗୁଁ ବାୟୁ ଓ ଶବ୍ଦ ପ୍ରଦୂଷଣ ବଢ଼ିବା ସହ ସଡ଼କ ଦୁର୍ଘଟଣା ଓ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଛି। ଏହାର ପ୍ରଭାବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନଯାପନ ଉପରେ ପଡ଼ୁଥିବା ଦଳ ପକ୍ଷରୁ କୁହାଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ସୁନିଲ ପ୍ରଧାନ କହିଛନ୍ତି ଯେ, ଅନୁଗୁଳକୁ ପ୍ରଦୂଷଣମୁକ୍ତ କରିବା ସହ କୋଇଲା ଓ ଫ୍ଲାଏଆଶ୍ ପରିବହନ ପାଇଁ ସ୍ୱତନ୍ତ୍ର କରିଡର, ଧୂଳି ଓ ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସଡ଼କ ସୁରକ୍ଷା ନେଇ ତୁରନ୍ତ ପଦକ୍ଷେପ ଆବଶ୍ୟକ।
ଏହି ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ, ବ୍ୟବସାୟୀ, ପରିବହନକାରୀ ଓ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛି ଜିଲ୍ଲା କଂଗ୍ରେସ।



